ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାକୁ ଏତେ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିପାରିଲା ନାହିଁ । କ୍ରାଇମବ୍ରାଞ୍ଚ ଏନେଇ ଖୋଳତାଡ ଜାରି ରଖିଛି । ଏହାରି ମଧ୍ୟରେ ନବଦାସଙ୍କ ପୁଅ-ଝିଅଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ୍ ମିଳିଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ଦେବାକୁ ଦୀପାଳି ଦାସ୍ ଓ ବିଶାଳ ଦାସଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ ।
ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ପକ୍ଷ ରଖିବାକୁ ଉଭୟଙ୍କୁ ନୋଟିସ୍ ଜାରି ହୋଇଛି । ନବଙ୍କ ହତ୍ୟାକୁ ନେଇ ଉଭୟଙ୍କ ବୟାନବାଜିକୁ ନେଇ ନୋଟିସ୍ ଜାରି ହୋଇଛି । ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନି । ଫାଇନାଲ ଚାର୍ଜସିଟ୍ ଦାଖଲ କରିନି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କିଛି ଆପତ୍ତି ଥିଲେ ଉଭୟ ଜଣାଇପାରିବେ । ଉଭୟଙ୍କ ବୟାନ ମାମଲାକୁ ଦେଇପାରେ ନୂଆମୋଡ଼ ।
ଏବେ ବି ନବ ଦାସ ହତ୍ୟା ମାମଲାର ତଦନ୍ତ ଓପନ୍ ଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର । ପୂର୍ବରୁ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ ଦୀପାଳି । ପରିବାର ସହ ଆଲୋଚନା କରି ଏଥିପାଇଁ ଲିଖିତ ଭାବେ ଦେବାକୁ ବି ଦୀପାଳି କହିଥିଲେ । ତେବେ ଦୀପାଳି ଓ ବିଶାଲଙ୍କ ମଧ୍ୟରେ ବୟାନବାଜି ଜାରି ରହିଥିବାରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ନୋଟିସ ଜାରି କରିଛି ।