ଭୁବନେଶ୍ୱର,୩ା୩: ଖୁବଶୀଘ ନୂଆ ଏନକ୍ଲୋଜରକୁ ଯିବ ବାଘୁଣୀ ଜିନ୍ନତ । ଏହା ପାଇଁ ଏକ ନୂଆ ଏନକ୍ଲୋଜର ତିଆରି ହୋଇଥିବା ପିସିସିଏଫ୍ କହିଛନ୍ତି । ଏନକ୍ଲୋଜରରେ ଖାପ ଖୁଆଇବା ପରେ ସ୍ଥିତି ଦେଖି ଜଙ୍ଗଲରେ ଛଡ଼ାଯିବ । ଜିନ୍ନତ ଏବେ ପୁରା ସୁସ୍ଥ । ସେ ବର୍ତ୍ତମାନ ସବୁୁ ଶିକାର କରିପାରୁଛି ବୋଲି ପିସିସିଏଫ୍ ପ୍ରେମ କୁମାର ଝା ପ୍ରକାଶ କରିଛନ୍ତି।
ସୂଚନାନୁଯାୟୀ, ଗତ ନଭେମ୍ବରରେ ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଥିଲା। ଗତ ଡିସେମ୍ବର ୮ ତାରିଖରେ ଶିମିଳିପାଳରୁ ଜିନ୍ନତ ଝାଡ଼ଖଣ୍ଡ ଯାଇଥିଲା । ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା । ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା । ସେଠାରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଡିସେମ୍ବର ୨୯ ତାରିଖ ଜିନ୍ନତକୁ ଟ୍ରାଙ୍କୁଲାଇଜ କରି କାବୁ କରା ଯାଇଥିଲା । ଜିନ୍ନତକୁ ଶିମିଳିପାଳ ଫେରାଇ ଆଣିବାକୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗର ୧୨୦ ଜଣ ଏକ ଟିମ୍ ଲାଗିଥିଲା । ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ମଇଁଷିର ଲୋଭ ଦେଖାଇ ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଥିଲେ ବନ କର୍ମଚାରୀ ।ଜିନ୍ନତର ବୟସ ଏବେ ୩ ବର୍ଷ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଜିନ୍ନତ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ଯାତ୍ରା କରିଥିଲା । ପଶ୍ଚିମବଙ୍ଗରେ ଏହା ପ୍ରଥମେ ଝାରଗ୍ରାମ ଜିଲା ଓ ପରେ ପୁରୁଲିଆରେ ପ୍ରବେଶ କରିଥିଲା। ଏହାକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଥିଲା।