ଯାତ୍ରା ପାର୍ଟି ସିଂହବାହିନୀ ଓ ପିୟୂଷ ତ୍ରିପାଠୀଙ୍କ ମଧ୍ୟରେ ବଡ଼ ବିବାଦ, ସୋସିଆଲ ମିଡିଆରେ Video ଶେୟାର କରି ଏମିତି କହିଲେ ପିୟୂଷ

ବିବାଦରେ ପିୟୂଷ ତ୍ରିପାଠୀ । ଗାଡ଼ି, ଟଙ୍କା ନେଇଗଲେ କିନ୍ତୁ କାମ କରିବାକୁ ମନା କଲେ ।

ଓଡ଼ିଶା ଭାସ୍କର: ଯାତ୍ରା ଜଗତର ବେଶ୍ ଚର୍ଚ୍ଚିତ ନାୟକ ପିୟୂଷଙ୍କୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି । ନାଟକରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପିୟୂଷ ଏବେ ସତ ସତିକା ପାଲଟିଛନ୍ତି ଭିଲେନ୍ ।

କାର୍ ନେଲେ: କାରଣ ଯାତ୍ରାପାର୍ଟି ସିଂହବାହିନୀ ପକ୍ଷରୁ ପିୟୂଷଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଯାତ୍ରା ପାର୍ଟି ମାଲିକଙ୍କ କହିବା ମୁତାବକ, ପିୟୂଷ ସିଂହବାହିନୀରେ କାମ କରିବାକୁ ଚାହୁଁଥିଲେ । ଯାହାପରେ ସେ ନିଜର ଜଣେ ସହଯୋଗୀଙ୍କ ସହ ପାର୍ଟି ମାଲିକଙ୍କ ସହ କଥା ହୋଇଥିଲେ ।

ଯାତ୍ରା ପାର୍ଟିରେ କାମ କରିବା ପୂର୍ବରୁ ମାଲିକଙ୍କଠାରୁ ପ୍ରାୟ ୫୫ ଲକ୍ଷ ଟଙ୍କା ସାଙ୍ଗକୁ ଏକ ଫର୍ଚୁନର କାର୍ ଆଣିଥିଲେ । ଆସନ୍ତା ବର୍ଷ ସିଂହବାହିନୀରେ କାମ କରିବା ପାଇଁ ପିୟୂଷ ଜଗନ୍ନାଥ ମନ୍ଦିରରେ ନିୟମ ମଧ୍ୟ କଲେ । ଏତେ ପରେ ପିୟୂଷ ଯାତ୍ରା ପାର୍ଟିରେ କାମ କରିବାକୁ ମନା କରିଦେଇଥିବା ଅଭିଯୋଗ ଆସିଛି ।

ମନାକଲେ: ଏହାର ଜବାବରେ ପିୟୂଷ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ମୁଁ ଯାତ୍ରାରେ ଥିବା ପର୍ଯ୍ୟନ୍ତ କେବେ ସିଂହବାହିନୀରେ କାମ କରିବି ନାହିଁ । ଅଭିଯୋଗ ସମ୍ପୂର୍ଣ୍ଣ ମିଥା ନୁହେଁ କିମ୍ବା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ମାଲିକ ଓ କଳାକାର ମଧ୍ୟରେ ସମନ୍ୱୟ ନ ରହିବା କାରଣରୁ ସେ କାମ କରିବାକୁ ମନା କରିଥିବା କହିଛନ୍ତି ।

ଯାହାକୁ ନେଇ ପିୟୂଷ ଏବେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି । ବର୍ତ୍ତମାନ ପିୟୂଷ ଅପେରା ସୂର୍ଯ୍ୟମନ୍ଦିରରେ କାମ କରୁଛନ୍ତି । ଆଗାମୀ ଦିନରେ ସୂର୍ଯ୍ୟମନ୍ଦିର ସହିତ କାମ କରିବା ନେଇ ସେ ସ୍ପଷ୍ଟ କରିଛନ୍ତି ।