ଭୁବନେଶ୍ୱର,୧୦ା୩: ଏବେ ଚାଲିଛି ବିବାହ ଋତୁ । ଜଣଙ୍କ ପରେ ଜଣେ ରାଜନେତା, ଅଭିନେତା ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏଥିରୁ ବି ବାଦ୍ ପଡ଼ିନାହାନ୍ତି ଯୁବନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି । ଚଳିତମାସ ୧୨ ତାରିଖରେ ପ୍ରଦୀପଙ୍କ ସାହାନାଇ ବାଜିବ । ତେବେ ଏହି ବିବାହ ଗୋଆରେ ହେବ ବୋଲି ଶୁଣିବାକୁ ମିଳୁଛି । ପ୍ରଦୀପଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଯେବେ ବି ବିବାହ ବିଷୟରେ ପ୍ରଶ୍ନ କରନ୍ତି ସେ ଏହାକୁ ହସି ଦେଇ ଉଡ଼ାଇ ଦିଅନ୍ତି । ମାତ୍ର ସତକୁ ସତ ଏଥର ହାତଗଣ୍ଠି ପଡ଼ିବ ।
ରାଜନୀତି କ୍ଷେତ୍ରରେ ପ୍ରଦୀପ ଜଣେ ଭଲ ସଗଂଠକ । ଯଦିଓ କାହାକୁ ବାହା ହେବେ ସେ କଥା ପ୍ରଦୀପ ସ୍ପଷ୍ଟ କରିନାହାନ୍ତି ତଥାପି ତାଙ୍କର ସମ୍ପର୍କୀୟ ଏବଂ ୩୦-୩୫ ଘନିଷ୍ଠ ବନ୍ଧୁ ଏହି ବିବାହ ଉତ୍ସବରେ ଯୋଗ ଦେବାକୁ ଗୋଆ ଯିବେ ବୋଲି ଶୁଣିବାକୁ ମିଳୁଛି । ଏହି ବିବାହକୁ ପ୍ରଦୀପ ଅତି ଗୋପନୀୟ ରଖିବାପାଇଁ ଚାହିଁଛନ୍ତି। ଅବଶ୍ୟ ବିବାହ ସମ୍ପନ୍ନ ହେବାପରେ ନବରଙ୍ଗପୁର ଫେରିଲେ ବିବାହ ରିସେପସନ ପାର୍ଟି କରିବେ ବୋଲି ଶୁଣାଯାଉଛି।
ସୂଚନାଯୋଗ୍ୟ, ନିକଟରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଜଣେ ଓଏଏସ୍ଙ୍କ ହାତ ଧରିଥିବାବେଳେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ମଧ୍ୟ ରୋଜାଲିନ ପଟ୍ଟନାୟକଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ସେହିପରି ଅଭିନେତା ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ବର୍ଷାଙ୍କୁ ଛାଡ଼ପତ୍ର ଦେବା ପରେ ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ ସହ ନିର୍ବନ୍ଧ ଶେଷ କରିଛନ୍ତି ।