ଘରର ପୋଷା କୁକୁର ପାଇଁ ହାଇଡ୍ରାମା, ବୋହୂଙ୍କ ବିରୋଧରେ ହାଇକୋର୍ଟରେ ଫେରାଦ ଦେଲେ ଶାଶୁ

ଯୌତୁକ ସହ ଘରର ପୋଷା କୁକୁରକୁ ସାଙ୍ଗରେ ନେଇ ଚାଲିଗଲେ ବୋହୂ। ସେପଟେ କାହିଁକି କୁକୁରକୁ ବୋହୂ ନେଇଗଲେ, ସେଥିପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଶାଶୁ। କିନ୍ତୁ ହାଇକୋର୍ଟ ଓଲଟା ଶାଶୁଙ୍କ ଉପରେ ଜୋରିମାନା ଲଗାଇ ଦେଲେ। ତେବେ କାହିଁକି?

କଟକ: ସାମ୍ନାକୁ ଆସିଲା ରୋଚକ ଘଟଣା। ଯୌତୁକ ସାମଗ୍ରୀ ସହ ଘରର ପୋଷା କୁକୁରକୁ ସାଙ୍ଗରେ ନେଇ ଚାଲିଗଲେ ଘରର ବୋହୂ। ଆଉ ବୋହୂ କାହିଁକି ପୋଷା କୁକୁରକୁ ସାଙ୍ଗରେ ନେଇ ଗଲେ ସେଥିପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଶାଶୁ।

ସେପଟେ ହାଇକୋର୍ଟରେ କେସ ଚାଲିଲା ସତ। ହେଲେ ଓଲଟା ଶାଶୁଙ୍କ ଉପରେ ଜୋରିମାନା ଲଗାଇଦେଲେ ହାଇକୋର୍ଟ। ତେବେ କାହିଁକି? ଶାଶୂ ତ କେସ୍ କରିଥିଲେ ତାହାଲେ ହାଇକୋର୍ଟ ଓଲଟା ତାଙ୍କ ଉପରେ ଜୋରିମାନା କାହିଁକି ଲଗାଇଲେ?

କୁକୁର ନେଇଗଲେ ବୋହୂ: ତେବେ ଏପରି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କଟକରେ। ସୂଚନା ଅନୁସାରେ, ୨୦୨୩ ମସିହାରେ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଏତଲା ଆଧାରରେ ପୋଲିସ ଯୌତୁକ ସାମଗ୍ରୀ ଜବତ କରିଥିଲା।

ଆଉ ବୋହୂ ଜଣକ ଶାଶୁଘର ଛାଡ଼ି ଯିବା ସମୟରେ ବାପଘରୁ ଆଣିଥିବା ଯୌତୁକ ସାମଗ୍ରୀ ସହ ଘରର ପୋଷା କୁକୁରକୁ ସାଙ୍ଗରେ ନେଇ ଘର ଛାଡି ଚାଲିଯାଇଥିଲେ। କାରଣ ସେ ପୋଷା କୁକରକୁ ବୋହୁତ ଭଲ ପାଉଥିଲେ। ତେଣୁ କୁକୁରକୁ ସାଙ୍ଗରେ ନେଇ ଚାଲିଗଲେ।

ଶାଶୁ ଗଲେ ହାଇକୋର୍ଟ: ହେଲେ ଶାଶୁଘର ଲୋକଙ୍କ ଅଭିଯୋଗ କି ବୋହୂ ବାହା ହୋଇ ଆସିଲା ବେଳେ, ସାଙ୍ଗରେ ପୋଷା କୁକୁରକୁ ଯୌତୁକରେ ଆଣିନଥିଲା। ତେଣୁ ଯିବା ବେଳେ କାହିଁକି କୁକୁରକୁ ନେଇଗଲେ। ଏନେଇ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ସେମାନଙ୍କ ପକ୍ଷ ନେବା ବଦଳରେ ତାଙ୍କ ଉପରେ ଓଲଟା ଜୋରିମାନା ଲଗାଇଦେଲେ।

ଶାଶୁଙ୍କ ଉପରେ ଜୋରିମାନା: ତେବେ ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିବା ସହ ହଜାରେ ଟଙ୍କା ଜୋରିମାନା କରିଛନ୍ତି ହାଇକୋର୍ଟ। ଏଭଳି ଆବେଦନ ହାଇକୋର୍ଟରେ କରିବାର ଆବଶ୍ୟକତା ନଥିଲା, ବରଂ ଏହାଦ୍ୱାରା ଅଦାଲତି ସମୟ ନଷ୍ଟ ହୋଇଛି ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

ଏଭଳି ଏକ ମାମଲା କରି ଅଦାଲତଙ୍କ ସମୟ ନଷ୍ଟ କରିଥିବାରୁ କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ। ଜରିମାନା ବାବଦକୁ ହଜାରେ ଟଙ୍କା ହାଇକୋର୍ଟ ବାର୍ ଆସୋସିଏସନ ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।