ଏବେ ଔଷଧ ଦୋକାନରେ ନେଇପାରିବେନି ଇଞ୍ଜେକ୍ସନ

ଔଷଧ ଦୋକାନରେ ରୋଗୀ ଇଞ୍ଜେକ୍ସନ ଫୋଡ଼ିବାକୁ ଅନୁରୋଧ କଲେ ମଧ୍ୟ ଦୋକାନୀଙ୍କୁ ଏପରି ନକରିବାକୁ ବାରଣ କରାଯାଇଛି ।

ଭୁବନେଶ୍ୱର: ଏଣିକି ଔଷଧ ଦୋକାନରେ ଇଞ୍ଜେକ୍ସନ। ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି। ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ୟ୍ୟାନୁଷ୍ଠାନ।

ଏଥିପାଇଁ ସିଡିଏମ୍ଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ। ଔଷଧ ଦୋକାନରେ ରୋଗୀ ଇଞ୍ଜେକ୍ସନ ଫୋଡ଼ିବାକୁ ଅନୁରୋଧ କଲେ ମଧ୍ୟ ଦୋକାନୀଙ୍କୁ ଏପରି ନକରିବାକୁ ବାରଣ କରାଯାଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆବଶ୍ୟକ ମେଡିକାଲ ସୁବିଧା ଥିବା ସ୍ଥାନରେ ହିଁ ଇଞ୍ଜେକସନ ଦିଆଯିବା ଉଚିତ। ଏହାଫଳରେ କୌଣସି ପାର୍ଶ୍ୱପ୍ରତିକ୍ରିୟାର ସାଙ୍ଗେ ସାଙ୍ଗେ ମୁକାବିଲା କରାଯାଇପାରିବ।

ଜିଲ୍ଲାସ୍ତରରେ ଏଭଳି ଔଷଧ ଦୋକାନଗୁଡିକର ଯାଞ୍ଚ ସହ ସେମାନଙ୍କୁ ଏଭଳି କାର୍ଯ୍ୟରୁ ବିରତ କରିବା ଲାଗି ସିଡିଏମଓ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ କୁହାଯାଇଛି ।