କନ୍ନଡ଼ ଅଭିନେତା ବ୍ୟାଙ୍କ ଜନାର୍ଦ୍ଦନଙ୍କ ପରଲୋକ:୭୭ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

ନୂଆଦିଲ୍ଲୀ : ଆଉ ନାହାନ୍ତି ବରିଷ୍ଠ କନ୍ନଡ଼ ଅଭିନେତା ଜନାର୍ଦ୍ଦନ । ରବିବାର ରାତିରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ୭୬ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତା ‘ବ୍ୟାଙ୍କ ଜନାର୍ଦ୍ଦନ’ ନାଁରେ ମଧ୍ୟ ପରିଚିତ।

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ସେ ରୋଗାଗ୍ରସ୍ତ ଥିଲେ। କିଛି ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିନେତାଙ୍କ ବିୟୋଗ ଖବର ଶୁଣିବା ପରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପ୍ରଶଂସକ ଓ ଅନେକ କଳାକାର ତଥା ବିଶିଷ୍ଟ ବ୍ୟକ୍ତିତ୍ଵ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଅଭିନେତା ତାଙ୍କ ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ୫୦୦ରୁ ଅଧିକ ଚଳଚ୍ଚିତ୍ର ଏବଂ ଶୋ’ରେ ଅଭିନୟ କରିଛନ୍ତି। ସେ ବିଶେଷ କରି ଜଣେ ହାସ୍ୟାଭିନେତା ଭାବେ ଜଣାଶୁଣା ଥିଲେ।

୨୦୨୩ ମସିହାରେ ହୃଦଘାତ ହେବା ପରେ ବ୍ୟାଙ୍କ ଜନାର୍ଦ୍ଦନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା। ଯଦିଓ ସେ ସେତେବେଳେ ସୁସ୍ଥ ହେଉଥିଲେ, ବୟସଜନିତ ଅସୁସ୍ଥତା ଯୋଗୁଁ ତାଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଲା।

ଜନାର୍ଦ୍ଦନଙ୍କ ଅଭିନୟ ଯାତ୍ରା ଥିଏଟରରୁ ଆରମ୍ଭ ହୋଇଥିଲା ଏବଂ ଏକ ବ୍ୟାଙ୍କରେ କାମ କରିବା ଯୋଗୁଁ ତାଙ୍କର ଅଭିନୟ ଜୀବନ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଯାହା ଯୋଗୁଁ ତାଙ୍କୁ “ବ୍ୟାଙ୍କ ଜନାର୍ଦନ” ଉପନାମ ମିଳିଥିଲା।