fbpx

ପ୍ଲାଜମା ଥେରାପି ପାଇଁ ମନ୍ତ୍ରୀମାନଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କାହାକୁ?

ଭୁବନେଶ୍ୱର,୨୪ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ପ୍ଲାଜମା ଥେରାପି ଦିଆଯାଇଛି ଗୁରୁତ୍ୱ । ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରୁ ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବେ ମନ୍ତ୍ରୀ । ଜିଲ୍ଲାକୁ ଯାଇ ପ୍ଲାଜମା ପାଇଁ ଉତ୍ସାହିତ କରିବା ସହ ସମସ୍ତ ବ୍ୟବସ୍ଥା କରିବେ । ଏହା ସହ ଆରୋଗ୍ୟ ହୋଇଥିବା କରୋନା ରୋଗୀଙ୍କ ସହ ମନ୍ତ୍ରୀମାନେ ଯୋଗାଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ନିୟମିତ ବ୍ୟବଧାନରେ ପ୍ଲାଜମା ଦାନ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ।

ତେବେ ନିରଞ୍ଜନ ପୂଜାରୀଙ୍କୁ ପୁରୀ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବା ବେଳେ ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରଗଡ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭଦ୍ରକ ଓ କେନ୍ଦ୍ରାପଡା, ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡା ଓ ବୌଦ୍ଧ, ଅରୁଣ ସାହୁଙ୍କୁ ନୟାଗଡ ଓ ଖୋର୍ଦ୍ଧା, ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ ଓ କଟକ, ସୁଦାମ ମାରାଣ୍ଡିଙ୍କୁ ସୁବର୍ଣ୍ଣପୁର, ସୁଶାନ୍ତ ସିଂଙ୍କୁ ବଲାଙ୍ଗିର ଓ ସମ୍ବଲପୁର, ନବ ଦାସଙ୍କୁ କଳାହାଣ୍ଡି ଓ ନୂଆପଡା, ଟୁକୁନି ସାହୁଙ୍କୁ ଦେବଗଡ ଓ ସୁନ୍ଦରଗଡ, ଜଗନ୍ନାଥ ସାରକାଙ୍କୁ ଗଜପତି ଓ କୋରାପୁଟ, ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳର ଗୁରୁଦାୟିତ୍ୱ ଦିଆଯାଇଛି । ସେହିପରି ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ, ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ୱର, ପ୍ରେମାନନ୍ଦ ନାୟକଙ୍କୁ କେନ୍ଦୁଝର, ରଘୁନନ୍ଦନ ନାସଙ୍କୁ ନବରଙ୍ଗପୁର ଓ ଜଗତସିଂହପୁର, ପଦ୍ମିନୀ ଦିଆନଙ୍କୁ ରାୟଗଡା ଓ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରିର ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.