ଖୁସି ଖବର: କଳା,ବାଣିଜ୍ୟ ପାଠ ପଢିଥିବା ପିଲା ହେବେ କମର୍ସିଆଲ ପାଇଲଟ, ଖୁବଶୀଘ୍ର ପ୍ରସ୍ତାବ ଉପରେ ଲାଗିବ ମୋହର

ପାଇଲଟ ବନିବା ହେଲା ସହଜ । ଆସିଲା ନୂଆ ପ୍ରସ୍ତାବ ।

ନୂଆଦିଲ୍ଲୀ: ପାଇଲଟ ହେବାକୁ ଚାହୁଁଥିବା ପିଲାଙ୍କ ପାଇଁ ଖୁସି ଖବର । ଏଣିକି କେବଳ ବିଜ୍ଞାନ ପାଠ ପଢିଥିବା ଛାତ୍ରଛାତ୍ରୀ ପାଲଇଟ ହେବେ ତାହା ନୁହେଁ ବରଂ କଳା ଓ ବାଣିଜ୍ୟ ପାଠ ପଢିଥିବା ଛାତ୍ରଛାତ୍ରୀ ମଧ୍ୟ କମର୍ସିଆଲ ପାଇଲଟ ହେବାର ସୁଯୋଗ ପାଇବେ ।

ପୂର୍ବରୁ କମର୍ସିଆଲ ପାଇଲଟ ପାଇଁ ଦ୍ବାଦଶ ଶ୍ରେଣୀରେ ଆବଶ୍ୟକ ପଡୁଥିବା ପାଠ୍ୟକ୍ରମ ପଦାର୍ଥ ବିଜ୍ଞାନ ଓ ଗଣିତ ବିଷୟକୁ ହଟାଇ ଦେବାକୁ ଚିନ୍ତା କରାଯାଉଛି । କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ କମର୍ସିଆଲ ପାଇଲଟ ଭାବେ ଟ୍ରେନିଂ ଦେବାକୁ ବିମାନ ଚଳାଚଳ ନିୟାମକ ଚିନ୍ତା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

କଳା ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ ହୋଇପାରିବେ କମର୍ସିଆଲ ପାଇଲଟ୍। ପୂର୍ବରୁ ଦେଶରେ କେବଳ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଏ ସୁଯୋଗ ମିଳୁଥିଲା। ୧୯୯୦ ମସିହାରୁ ଏହି ନିୟମ ଭାରତରେ ଲାଗୁ ଅଛି।

ଏହା ପୂର୍ବରୁ କମର୍ସିଆଲ ପାଇଲଟ ଲାଇସେନ୍ସ ପାଇଁ ଦଶମ ପାସ୍ କରିବା ମାପଦଣ୍ଡ ରହିଥିଲା । ଏବେ କମର୍ସିଆଲ ପାଇଲଟ ପାଇଁ ଦ୍ବାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମ ବାଧ୍ୟତାମୂଳକ ନରଖିବାକୁ ଚିନ୍ତା କରୁଛି ଡିଜିସିଏ। ଏନେଇ ଖୁବଶୀଘ୍ର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଯିବ।

କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ମୋହର ମାରିଲେ ଏହାକୁ ଲାଗୁ କରାଯିବ। ଡିଜିସିଏ ପକ୍ଷରୁ ନିର୍ଦ୍ଧାରିତ ମେଡିକାଲ ଫିଟନେସ୍ ମାନଦଣ୍ଡ ଛାତ୍ରଛାତ୍ରୀଙ୍କୁ ପୂରା କରିବାକୁ ପଡିବ। କମର୍ସିଆଲ ପାଇଲଟ ଲାଇସେନ୍ସ ପାଇଁ ଡିଜିସିଏ ପକ୍ଷରୁ ନିର୍ଦ୍ଦିଷ୍ଟ ମାପଦଣ୍ଡ ରହିଛି। ଆବେଦନକାରୀଙ୍କୁ ଡିଜିସିଏ ଅଧିକୃତ ଡାକ୍ତରଙ୍କ ଠାରୁ କ୍ଲାସ-୧ ଡାକ୍ତରୀ ପ୍ରମାଣପତ୍ର ହାସଲ କରିବାକୁ ହେବ।

ଏହି ପ୍ରମାଣପତ୍ରରେ ଆବେଦନକାରୀଙ୍କ ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି ଓ ହୃଦରୋଗ ବାବଦରେ ଯାଞ୍ଚ ତଥ୍ୟ ଉଲ୍ଲେଖ ରହିବ। କମର୍ସିଆଲ ପାଇଲଟ ଲାଇସେନ୍ସ ପାଇଁ ନାଭିଗେସନ, ରେଗୁଲେସନ ଓ ଫ୍ଲାଇଟ ପ୍ଲାନିଂ ବାବଦରେ ଟ୍ରେନିଂ ନେବାକୁ ପଡିବ। କମର୍ସିଆଲ ପାଇଲଟ ଲାଇସେନ୍ସ ହାସଲ ପୂର୍ବରୁ ଏଫଟିଓରେ ନାମ ଲେଖାଇବା ସହ ୨୦୦ ଘଣ୍ଟାର ଉଡାଣ ପୂରଣ କରିବାକୁ ହେବ।