ଅନଲାଇନ୍ ଗେମ ଖେଳି ୬ ଲକ୍ଷ ଟଙ୍କା ହାରି ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟକ୍ତି

ଅନଲାଇନ୍ ଗେମ୍ ହେଲା କାଳ, ଲକ୍ଷାଧିକ ଟଙ୍କା ହାରି ମାନସିକ ଭାରସାମ୍ୟ ହରାଇ ବସିଲେ ବ୍ୟକ୍ତି।

ବାଲେଶ୍ୱର: ଆନଲାଇନ୍ ଗେମ୍ ହେଲା କାଳ। ଲକ୍ଷାଧିକ ଟଙ୍କା ହରାଇ ମାନସିକ ଭାରସାମ୍ୟ ହରାଇ ବସିଲେ ଜଣେ ବ୍ୟକ୍ତି। ପରିବାର ପିଲା ଛୁଆ କାହାରି କଥା ଚିନ୍ତା ନ କରି, ପାଖାପାଖି ୬ ଲକ୍ଷ ଟଙ୍କାର କ୍ଷତି ସହି ନ ପାରି ଶେଷରେ ନିଜ ବେକ ଓ ହାତ ଶିର କାଟି ଆତ୍ମହତ୍ୟା ଉଦ୍ୟମ କଲେ।

ପରେ ପରିବାର ଲୋକ ଉକ୍ତ ବ୍ୟକ୍ତିଙ୍କ ଏପରି ଅବସ୍ଥା ଦେଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଆଉ ଏହି ଘଟଣାଟି କୌଣସି ବାହାର ରାଜ୍ୟର ନୁହେଁ ବରଂ ଆମ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ଘଟଣା।

ଅନଲାଇନ୍ ଗେମ୍ : ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଏକା ଅନଲାଇନ୍ ଗେମ୍ ଖେଳି ଏପରି ପରିସ୍ଥିତିର ସାମ୍ନା କରିଛନ୍ତି ତାହା ନୁହେଁ। ଆଜି କାଲିର ଯୁବପିଢ଼ୀ ଯାହାକୁ ଦେଖ ସମସ୍ତେ ଅନଲାଇନ୍ ଗେମରେ ମାତିଛନ୍ତି।

ଅଧିକ ଟଙ୍କା ରୋଜଗାର ଲକ୍ଷରେ ପ୍ରଥମେ ଅଳ୍ପକିଛି ଟଙ୍କା ଲଗାଉଛନ୍ତି। ଆଉ ଏହି ନିଶା ଧିରେ ଧିରେ ପେଶାରେ ପରିଣତ ହୋଇଯାଉଛି। ସବୁକିଛି ଭୁଲି ଅଧିକାଂଶ ଯୁବପିଢୀ ଅନଲାଇନ୍ ଗେମର ବଶବର୍ତ୍ତୀ ହୋଇଯାଉଛନ୍ତି। ଆଉ ଏହି ଅନଲାଇନ୍ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ମଧ୍ୟ ହରାଉଛନ୍ତି। ଯେପରି ଏହି ବ୍ୟକ୍ତି ଜଣକ।

ଲକ୍ଷାଧିକ ଟଙ୍କା କ୍ଷତି: ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ଚମାରଗାଁ ପଞ୍ଚାୟତର ଟିଗିରିଆ ଗ୍ରାମର। ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାୟଙ୍କ ପୁଅ ସର୍ବଜିତ ରାୟ। ବୟସ ତାଙ୍କର ୪୪ ବର୍ଷ। ପରିବାର କହିବାକୁ ଗଲେ ବାପା, ମା’, ସ୍ତ୍ରୀ ଓ ଗୋଟେ ଝିଅ।

ହେଲେ ସର୍ବଜିତଙ୍କ ଠାରୁ ତାଙ୍କ ସାତ ବର୍ଷର ଝିଅ ଓ ସ୍ତ୍ରୀ ଅଲଗା ରହୁଛନ୍ତି। ପେଶାରେ ସର୍ବଜିତ୍ ଜଣେ ସଫ୍ଟଓୟାର ଇଞ୍ଜିନିୟର। ସେ ଚେନ୍ନାଇରେ ଏକ ସଫ୍ଟଓୟାର କମ୍ପାନୀରେ ଚାକିରି କରିଥିଲେ। ହେଲେ ଗତ କିଛି ଦିନ ହେଲା ଚାକିରି ଛାଡ଼ି ଗାଁ ରେ ଟ୍ୟୁସନ କରି ନିଜେ ଚଳୁଥିଲେ।

ହେଲେ ନିକଟରେ ସେ ଅନଲାଇନ୍ ଗେମ୍ ଖେଳିବା ଆରମ୍ଭ କରିଥିଲେ। ଆଉ ସେଥିରେ ପ୍ରଥମେ ସେ ଟଙ୍କା ଲଗାଇ ୨୦ ହଜାର ଟଙ୍କା ହରାଇଥିଲେ। ଏହାପରେ ସେହି ଟଙ୍କା ରିକଭରି କରିବା ଲୋଭରେ ବାରମ୍ବାର ଖେଳି ପାଖାପାଖି ୬ ଲକ୍ଷ ଟଙ୍କା ହରାଇଲେ।

ଆତ୍ମହତ୍ୟା ଉଦ୍ୟମ: ଆଉ ଏତେ ଟଙ୍କା ହରାଇ ସେ ନିଜର ଭାରସାମ୍ୟ ହରାଇ ବସିଲେ। ଯେପରି ଅନଲାଇନ୍ ଗେମ୍ ତାଙ୍କ ପାଇଁ ଅଭିଶାପ ପାଲଟିଗଲା। ଆଉ ଶେଷରେ ଲକ୍ଷାଧିକ ଟଙ୍କା ହରାଇ ନିଜର ମାନସିକ ଭାରସାମ୍ୟ ହରାଇ ବସିଲେ ସର୍ବଜିତ୍।

ଆଉ ନିଜ ଜୀବନ ଶେଷ କରିଦେବାକୁ ନିଷ୍ପତ୍ତି ନେଲେ। ଆଜି ସକାଳେ ସର୍ବଜିତ୍ ନିଜ ତଣ୍ଟି ଓ ବାମ ହାତର ଶିରକୁ ବ୍ଲେଡରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଜାଣିବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜକୁ ପଠା ଯାଇଛି।