ଭାରତର ଆକ୍ସନରେ ପାକିସ୍ତାନ ଛାନିଆ, ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ଭିଡିଓରେ ରଖିଲା ସଫେଇ

ପହଲଗାମରେ ଆତଙ୍କ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୈବାର ଡେପୁଟି କମାଣ୍ଡର ସୈଫୁଲ୍ଲାହ କସୁରୀ ଏକ ଭିଡିଓ ଜାରି କରିଛି।

ନୂଆଦିଲ୍ଲୀ: ପହଲଗାମ ଆତଙ୍କି ଆକ୍ରମଣରେ ବିରୋଧରେ କି ପ୍ରକାର କଠୋର ପଦକ୍ଷେପ ନେଇପାରେ ଭାରତ, ଏହା ଭାବି ଭାବି ଡରରେ ଥରିଲେଣି ପାକିସ୍ତାନରେ ଥିବା ଆତଙ୍କବାଦୀ ଓ ପାକ୍ ସରକାର। ଏହାରି ଭିତରେ ପହଲଗାମରେ ଆତଙ୍କ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୈବାର ଡେପୁଟି କମାଣ୍ଡର ସୈଫୁଲ୍ଲାହ କସୁରୀ ଏକ ଭିଡିଓ ଜାରି କରିଛି।

ଯେଉଁଥିରେ ସଫେଇ ଦେଇ ନିଜକୁ ନିର୍ଦ୍ଦୋଶ ବୋଲି କହିଛି କସୁରୀ। ପହଲଗାମ ଆକମଣ ପରେ ପାକିସ୍ତାନ ନିଜ ପରିଚୟ ବଞ୍ଚାଇବାକୁ ଚେଷ୍ଟା କରୁଛି। ଏହା ଭାରତର ଷଡ଼ଯନ୍ତ୍ର ବୋଲି କହି ନିଜ ଉପରୁ ସବୁ ଦୋଷକୁ ଏଡ଼ାଇ ଦେଇଛି କସୁରୀ।

ଏହା ପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜ ଆସିଫ ମଧ୍ୟ ପ୍ରତିକ୍ରିୟା ରଖି ସଫେଇ ଦେଇଥିଲେ। ଭାରତର କିଛି ରାଜ୍ୟଗୁଡ଼ିକରେ ବିଦ୍ରୋହ ଘଟୁଛି। ଗୋଟିଏ ନୁହେଁ, ଦୁଇଟି ନୁହେଁ, ବରଂ ଡଜନ ଡଜନ…ନାଗାଲାଣ୍ଡରୁ କାଶ୍ମୀର ପର୍ଯ୍ୟନ୍ତ। ମଣିପୁର, ଦକ୍ଷିଣ ଛତିଶଗଡ… ଦିଲ୍ଲୀ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଘଟୁଛି। ଯାହା ପାଇଁ ଏଭଳି ଘଟିଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଉଛି ଭାରତ। ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତିି।

କାଲି ସିଏସି ବୈଠକ ପରେ ଭାରତର ପାକିସ୍ତାନ ଉପରେ ନେଇଥିବା କଡ଼ା ଆଭିମୁଖ୍ୟକୁ ଦେଖି ଭୟରେ ଛାନିଆ ପାକିସ୍ତାନ। ତେବେ କାହିଁକି ପାକିସ୍ତାନ ଏପରି ବିଳିବିଳେଇ ଯାଉଛି। ଭାରତର କଡ଼ା ଆଭିମୁଖ୍ୟ ଦେଖି ପାକିସ୍ତାନ ଛାନିଆ ହୋଇଥିବା ବେଳେ ପାକିସ୍ତାନର ବାରମ୍ବାର ସଫେଇ ସିଧାସଳଖ ଦର୍ଶାଉଛି କି ଏହି ଆକ୍ରମଣ ପଛରେ ଲସ୍କର-ଏ-ତୈବାର ଡେପୁଟି କମାଣ୍ଡର ସୈଫୁଲ୍ଲାହ କସୁରୀଙ୍କ ହାତ ରହିଛି।

ସେପଟେ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସପକ୍ଷରେ ବାହାରିଛନ୍ତି ଆମେରିକା ରାଷ୍ଟ୍ରପତି। ଆତଙ୍କୀ ହମଲାକୁ ତ୍ରୀବ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ଭାରତ ବିରୁଦ୍ଧରେ ଏହି ଆତଙ୍କବାଦୀ ଆକ୍ରମଣର ଟ୍ରମ୍ପଙ୍କ ନିନ୍ଦା ଭାରତକୁ ଏକ ଅନ୍ତର୍ଜାତୀୟ ମଞ୍ଚରେ ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ସ୍ୱର ଉଠାଇବାର ସୁଯୋଗ ଦେବ। ସେପଟେ ଭାରତ ସପକ୍ଷରେ ବାହାରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁତିନ୍‌।

ଏହାକୁ ଏକ ଅମାନବୀୟ ଅପରାଧ ବୋଲି କହି ସେ ଆତଙ୍କବାଦ ବିରୋଧରେ ଭାରତ ସହିତ ସହଯୋଗକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରୁଷ ରାଷ୍ଟ୍ରପତି।

ଇସ୍ରାଏଲ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛି, ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଡିଓନ ସାର ପୀଡିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ଜଣାଇଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତକୁ ବିଶ୍ୱବ୍ୟାପୀ ସମର୍ଥନ ମିଳୁଛି, ଯାହା ଏହି ଜଟିଳ ପରିସ୍ଥିତିରେ ଏକତାର ଏକ ଉଦାହରଣ।

ଯାହାକୁ ଦେଖି ଛାନିଆ ହୋଇଛି ପାକିସ୍ତାନ ଏବଂ ଲସ୍କର-ଏ-ତୈବାର ଡେପୁଟି କମାଣ୍ଡର ସୈଫୁଲ୍ଲାହ କସୁରୀ। ଭିଡିଓ ମାଧ୍ୟମରେ ଆତଙ୍କୀ ହମଲା ପଛରେ କୌଣସି ହାତ ନଥିବା କହିଛି।