ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ, ଜାଣନ୍ତୁ କେଉଁ ଜିଲ୍ଲାବାସୀ ହେବେ ଉପକୃତ…

ଭୁବନେଶ୍ୱର,୫ା୫:  ଭୁବନେଶ୍ୱର,୫ା୫: ରାଜ୍ୟରେ ଖୁବଶୀଘ୍ର ଖୋଲାଯିବ ଆଉ ୪ ନୂଆ ମେଡିକାଲ କଲେଜ । ଏନେଇ ସୋମବାର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଯାଇଥିବାବେଳେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁରରେ ନୂଆ ମେଡିକାଲ କଲେଜ ଖୋଲିବ। ଧିରେ ଧିରେ ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠିତ ହେବ। ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ୬୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥଦେବେ। ଏହାର ସୁଯୋଗ ନେଇ ଅନେକ ରାଜ୍ୟ ବହୁତ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି। ତେଲେଙ୍ଗାନାରେ ବର୍ତ୍ତମାନ ୩୪ଟି ମେଡିକାଲ କଲେଜ ସ୍ଥାପନ ହୋଇଛି। କିନ୍ତୁ ଓଡିଶାରେ ଖୁବ୍ କମ୍ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ପୂର୍ବ ସରକାର ରାଜନୈତିକ କାରଣ ଯୋଗୁ ଏ ଦିଗରେ ବିଶେଷ ଧ୍ୟାନ ଦେଇନଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ଆମର ସାଧାରଣ ଲୋକମାନେ ଦେଶର ୨୯ ହଜାର ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ। ୭୦ ବର୍ଷରୁ ଅଧିକ ସମସ୍ତ ବୟୋଜ୍ୟେଷ୍ଠଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।

ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଆପଣମାନେ ସ୍ୱାସ୍ଥ୍ୟସେବାକୁ ଜୀବନର ଏକ ମିଶନ ଭାବେ ଗ୍ରହଣ କରନ୍ତୁ। ବୃତ୍ତିଗତ ଦକ୍ଷତା ସହିତ ସେବା ମନୋଭାବ ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା ସ୍ୱାସ୍ଥ୍ୟକ୍ଷେତ୍ରରେ ମଧ୍ୟ ଓଡିଶା ବିଭିନ୍ନ ସୂଚକାଙ୍କରେ ଉନ୍ନତି ହାସଲ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।