ନୂଆଦିଲ୍ଲୀ,୧୦ା୫: ଶନିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛି। ଏହାକୁ ଉଭୟ ଦେଶ ନିଶ୍ଚିତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣେଲ ସୋଫିଆ କୁରେଶୀ ସୂଚନା ଦେଇ କହିଛନ୍ତି, ପାକିସ୍ତାନ ମିଥ୍ୟା ଖବର ପ୍ରସାର କରିଛି। ପାକିସ୍ତାନର ପିସିରେ କୁହାଯାଇଥିଲା ଯେ, ଭାରତୀୟ ସେନା ମସଜିଦକୁ ଟାର୍ଗେଟ କରିଥିଲା କିନ୍ତୁ ଏହା ଏପରି ନୁହେଁ। ଆମର କାର୍ଯ୍ୟ ମାପକାଠି ଏବଂ ଦାୟିତ୍ୱପୂର୍ଣ୍ଣ ଥିଲା।
ସେହିପରି ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, “ପାକିସ୍ତାନର ଡିଜିଏମଓ ଆଜି ଅପରାହ୍ନ ୩.୩୫ରେ ଭାରତୀୟ ଡିଜିଏମଓଙ୍କୁ ଫୋନ୍ କରିଥିଲେ। ସେମାନେ ରାଜି ହୋଇଥିଲେ ଯେ ଉଭୟ ପକ୍ଷ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟାରୁ ଜଳ, ସ୍ଥଳ ଏବଂ ବାୟୁରେ ସମସ୍ତ ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ। ଏହି ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ମେ’ ୧୨ ମଧ୍ୟାହ୍ନ ୧୨ଟାରେ ପୁଣି ଥରେ କଥା ହେବେ। ଉଭୟ ଦେଶର ଡିଜିଏମଓ ପୁଣି ଥରେ କଥା ହେବେ। ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାର ନିଷ୍ପତ୍ତି ସିଧାସଳଖ ଦୁଇ ଦେଶ ମଧ୍ୟରେ ନିଆଯାଇଛି। ଅନ୍ୟ କୌଣସି ସ୍ଥାନରେ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରାଯିବାର ନିଷ୍ପତ୍ତି ହୋଇନାହିଁ।
ସେହିପରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ଉପରେ ଜମ୍ମୁ- କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, “କିଛି ସମୟ ପୂର୍ବରୁ ଯୁଦ୍ଧବିରତି ପୁନଃସ୍ଥାପନର ଘୋଷଣା କରାଯାଇଛି। ମୁଁ ଏହାକୁ ହୃଦୟର ଗଭୀରତାରୁ ସ୍ୱାଗତ କରୁଛି। ଶେଷରେ, ପାକିସ୍ତାନର ଡିଜିଏମଓ ଫୋନ୍ ଉଠାଇ ଆମର ଡିଜିଏମଓଙ୍କ ସହ କଥା ହେଲେ। କେବେ ନହେବା ଅପେକ୍ଷା ବିଳମ୍ବରେ ଭଲ। ଯେଉଁଠାରେ ଲୋକମାନେ ଆହତ ହୋଇଛନ୍ତି, ସେମାନଙ୍କର ଉପଯୁକ୍ତ ଚିକିତ୍ସା କରାଯିବା ଉଚିତ। ଯେଉଁଠାରେ ଲୋକମାନେ ପ୍ରାଣ ହରାଇଛନ୍ତି, ସେମାନଙ୍କୁ କ୍ଷତିପୂରଣ ଦିଅନ୍ତୁ। ଜମ୍ମୁରେ କ୍ଷତି ହୋଇଛି, ପୁଞ୍ଚରେ ମଧ୍ୟ କ୍ଷତି ହୋଇଛି। ଗତକାଲି ରାତିରେ ଜମ୍ମୁରେ ମଧ୍ୟ ବହୁତ କ୍ଷତି ହୋଇଛି। ଏକ ମୂଲ୍ୟାଙ୍କନ କରନ୍ତୁ ଏବଂ ଆମକୁ ଜଣାନ୍ତୁ, ତା’ପରେ ଆମେ ଏହା ଉପରେ କାମ କରିବୁ।