ଦେଶରେ ହୁ ହୁ ହୋଇ ବଢୁଛୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା, କେନ୍ଦ୍ରର ସତର୍କତା

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋଭିଡ ମାମଲା । ସବୁ ରାଜ୍ୟକୁ ପ୍ରସ୍ତୁତ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ । ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ସହ ଆଇସୋଲେଟ ବେଡ୍ ପ୍ରସ୍ତୁତ ରଖିବାକୁ କେନ୍ଦ୍ରର ନିର୍ଦ୍ଦେଶ ।

ସେପଟେ 6 ହଜାର ମୁହାଁ ହେଲାଣି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ସକ୍ରିୟ ସଂକ୍ରମଣ ମାମଲା 5 ହଜାର 755 ରେ ପହଞ୍ଚିଛି, କେରଳରେ ସର୍ବାଧିକ 1806 ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ 717, ଦିଲ୍ଲୀରେ 665 ଏବଂ ମହାରାଷ୍ଟ୍ରରେ ସକ୍ରିୟ ମାମଲା 577 ରହିଛି ।

ସେହିପରି କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ଯଥାକ୍ରମେ 444 ଏବଂ 288 ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ 208 ଟି ମାମଲା ଚିହ୍ନଟ କରିଛି ସ୍ବାସ୍ଥ୍ୟ ବିଭାଗ ।

ଏପଟେ ଗତ 24 ଘଣ୍ଟାରେ ଦେଶରେ 4ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 59 ରେ ପହଞ୍ଚିଛି । ଆଇସିଏମଆର ରିପୋର୍ଟ ଅନୁଯାୟୀ ପଶ୍ଚିମ ଓ ଦକ୍ଷିଣରେ ମିଳିଥିବା ନମୁନା ଜିନୋମ୍ ସିକ୍ବେନ୍ସିରୁ ଜଣାପଡିଛି ଯେ ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ଓମିକ୍ରନର ନୂ୍ଆ ପ୍ରଜାତି ।

ଗୋଟିଏ ପଟେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍, ଆଇସିୟୁ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକୀୟ ଔଷଧପତ୍ର ମହଜୁଦ ରଖିବାକୁ ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ।