37 ଦିନରେ 4 ଥର ବିବାହ, 3 ଥର ଛାଡପତ୍ର, ଦରମା ସହିତ ମିଳିଲା 32 ଦିନର ଛୁଟି
ଅଫିସରୁ ଛୁଟି ପାଇବା ପାଇଁ ଯୁବକ ରଚିଲେ ନୂଆ ଯୋଜନା
ଓଡିଶା ଭାସ୍କର: ଅଫିସରୁ ଛୁଟି ପାଇବା ପାଇଁ 37 ଦିନରେ 4 ଥର ବିବାହ କରିବା ସହିତ 3ଥର ଛାଡପତ୍ର ଦେଇଥିଲେ ଯୁବକ। ଏହି ଘଟଣା ଦେଖିବାକୁ ମିଳିଥିଲା ତାଇୱାନରେ। ବିବାହକୁ 7 ଜନ୍ମର ସାଥି କୁହା ଯାଉଥିବାବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ଲୋକେ କେତେ କଣ କରିଥାନ୍ତି। କିନ୍ତୁ ଅନେକ ସମୟରେ ଅଫିସରୁ ଛୁଟି ନମିଳିବା ହେତୁ ସବୁ ଖୁସି ଫସର ଫାଟିଯାଏ।
ଛୁଟି ପାଇଁ ନୂଆ ଯୋଜନା: ସେଥିପାଇଁ ତାଇୱାନର ଜଣେ ବ୍ୟକ୍ତି ୩୭ ଦିନରେ ଚାରିଥର ବିବାହ କରି ତିନିଥର ଛାଡପତ୍ର ଦେଇଥିଲେ। ତା ସହିତ ୩୨ ଦିନର ଛୁଟି ସେ ପୁଣି ଦରମା ସହିତ ନେଇଥିଲେ। ତାଇୱାନର ଆଇନ ଅନୁଯାୟୀ, ପ୍ରତ୍ୟେକ କର୍ମଚାରୀଙ୍କୁ ବିବାହ ସମୟରେ 8ଦିନର ଛୁଟି ଦରମା ସହିତ ଦିଆଯାଇଥାଏ।
ଏହି ବ୍ୟକ୍ତି ୬ ଏପ୍ରିଲରେ ବିବାହ କରି ୮ ଦିନର ଛୁଟି ନେଇଥିଲେ। କିନ୍ତୁ ଅଧିକ ଛୁଟି ପାଇଁ ସେ ଏକ ଯୋଜନା କରିଥିଲେ। ଛୁଟିର ଶେଷ ଦିନରେ, ସେ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ପରଦିନ ପୁଣି ଥରେ ବିବାହ କରିଥିଲେ, ଯାହା ଫଳରେ ସେ ପୁଣି 8 ଦିନର ଛୁଟି ପାଇପାରିବେ।
ସେ ଏହି ପ୍ରକ୍ରିୟାକୁ ବାରମ୍ବାର କରିଥିଲେ ଏବଂ 37 ଦିନରେ ଚାରିଥର ବିବାହ କରି ତିନିଥର ଛାଡପତ୍ର ଦେଇଥିଲେ, ଯାହା ଫଳରେ ତାଙ୍କୁ ମୋଟ 32 ଦିନର ଛୁଟି ଦରମା ସହିତ ମିଳିଥିଲା।
ଧରା ପଡିଲେ:କିନ୍ତୁ ତାଙ୍କର ଚାଲାକି ଯେଉଁ ବ୍ୟାଙ୍କରେ ସେ କାମ କରୁଥିଲେ ସେହି ବ୍ୟାଙ୍କ ଜାଣିପାରିଲା। ସେଥିପାଇଁ ବ୍ୟାଙ୍କ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବିବାହ ନିମନ୍ତେ ଛୁଟି ଦେବାକୁ ମନା କରିଦେଲା, କାରଣ ବ୍ୟାଙ୍କ ଜାଣିଥିଲା ଯେ, ସେ ବାରମ୍ବାର ସମାନ ମହିଳାଙ୍କୁ ବିବାହ କରି ଆଇନର ଅପବ୍ୟବହାର କରୁଛନ୍ତି।
କିନ୍ତୁ ବ୍ୟାଙ୍କ ଛୁଟି ନଦିଆଯିବାରୁ ତାଇପେ ସିଟି ଲେବର ବ୍ୟୁରୋରେ ବ୍ୟାଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କଲେ। ସେ ଦାବି କଲେ ଯେ ବ୍ୟାଙ୍କ “ଶ୍ରମ ଛୁଟି ଆଇନ”ର ଧାରା 2 ଉଲ୍ଲଂଘନ କରିଛି, ଯାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରେ ଯେ ବିବାହ ସମୟରେ ଜଣେ 8 ଦିନର ଦରମା ପାଇବାକୁ ହକଦାର। ଯେହେତୁ ସେ ଚାରିଥର ବିବାହ କରିଥିଲେ, ତେଣୁ ତାଙ୍କୁ 32 ଦିନର ଛୁଟି ମିଳିବା ଉଚିତ ଥିଲା।
ଏପରି ପରିସ୍ଥିତିରେ, ଲେବର ବ୍ୟୁରୋ ଏହି ଘଟଣାର ତଦନ୍ତ ଆରମ୍ଭ କରି ରାୟ ଦେଇଥିଲା ଯେ, ବ୍ୟାଙ୍କ ପ୍ରକୃତରେ ଶ୍ରମ ଆଇନ ଉଲ୍ଲଂଘନ କରିଛି। ସେଥିପାଇଁ ବ୍ୟାଙ୍କକୁ ପ୍ରାୟ 50 ହଜାର ଟଙ୍କା ଜରିମାନା କରାଯାଇଥିଲା।
ବ୍ୟାଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ଆବେଦନ କରିଥିଲା, ଯେଉଁଥିରେ ଏହା ଯୁକ୍ତି ଦେଇଥିଲା ଯେ କର୍ମଚାରୀଙ୍କ ଦ୍ୱାରା “ବିବାହ ଛୁଟି” ଆଇନର ଅପବ୍ୟବହାର କରାଯାଇଥିଲା। ତଥାପି, ଲେବର ବ୍ୟୁରୋ ଅନିଚ୍ଛା ସହିତ ଏହାର ପୂର୍ବ ନିଷ୍ପତ୍ତିକୁ ବଜାୟ ରଖିଥିଲା ଏବଂ କ୍ଲର୍କଙ୍କ ଆଚରଣ ଭୁଲ ଥିଲେ ମଧ୍ୟ ସେ ଆଇନ ଭଙ୍ଗ କରିନାହାଁନ୍ତି ବୋଲି କହିଥିଲା।