ଏମିତି ଝିଅ କୋଉ ବାପା-ମା’ଙ୍କୁ ନ ମିଳୁ ! ୧୦ମ ଶ୍ରେଣୀ ଛାତ୍ରୀ ମା’ ମୁଣ୍ଡକୁ ଲୁହା ରଡରେ ଛେଚି କଲା ନିର୍ମମ ହତ୍ୟା

୩ ଅଭିଯୁକ୍ତଙ୍କୁ ପୋଲିସ ରଖିଛି ଅଟକ । ପ୍ରେମକୁ ମା’ କରୁ ନ ଥିଲେ ସମର୍ଥନ, ଯାହା ପାଇଁ ଝିଅ ନେଲା ମା’ର ଜୀବନ ।

ହାଇଦ୍ରାବାଦ୍: ତେଲଙ୍ଗାନାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମା’ର ଅତି ନିର୍ମମତାର ସହ ହତ୍ୟା କରାଯାଇଛି ।

୩୯ ବର୍ଷିୟା ଅଞ୍ଜଳିଙ୍କୁ ତାଙ୍କ ଜନ୍ମକଲା ଝିଅ ଏବଂ ତା’ ପ୍ରେମିକ ମିଶି ହତ୍ୟା କରିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

୧୦ ଶ୍ରେଣୀରେ ପଢ଼ୁଥିବା ନାବାଳିକା ୧୯ ବର୍ଷୀୟ ପଗିଲ୍ଲା ଶିବା ସହ ପ୍ରେମ ସମ୍ପର୍କରେ ଥିଲା । ଯାହାକୁ ନେଇ ନାବାଳିକାକୁ ତା’ ମା’ ସବୁବେଳେ ଆକଟ କରୁଥିବାରୁ ନାବାଳିକା ଅତିଷ୍ଟ ହୋଇ ପ୍ରେମିକ ସହ ମା’କୁ ସେମାନଙ୍କ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର କଲା ।

ଏହାପରେ ପ୍ରେମିକ ଶିବା ଏବଂ ତା’ ଭାଇ ସହ ମିଶି ନାବାଳିକା ଜଣଙ୍କ ପ୍ରଥମେ ମା’ର ଗଳାଚିପି ତାଙ୍କୁ ଅଚେତ କରିଦେଲେ । ଏହାପରେ ଏକ ଲୁହା ରଡ଼ରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ ।

ଘଟଣାସ୍ଥଳରେ ଅଞ୍ଜଳିଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ଯେଉଁଥିରେ ପୋଲିସ ନାବାଳିକା ସମେତ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସମାନ ଘଟଣା କିଛିଦିନ ପୂର୍ବେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଥିଲା । ଯେଉଁଠାରେ ୧୩ ବର୍ଷୀୟା ପାଳିତ ନାବାଳିକା ତା’ ପ୍ରେମିକ ସହ ମିଶି ମା’କୁ ହତ୍ୟା କରିଛି ।