ଉତ୍ତରକାଶୀରେ ବାଦଲ ଫଟା ବର୍ଷା, ଭାସିଗଲେ 17 ଶ୍ରମିକ
ଦେବଭୂମୀରେ ଅଘଟଣ । ଉତ୍ତରକାଶୀର ବାରକୋଟରେ ବାଦଲ ଫଟା ବର୍ଷାରେ ଭାସିଗଲେ 17 ଶ୍ରମିକ ।
ଉତ୍ତରକାଶୀ: ଦେବଭୂମୀରେ ଅଘଟଣ । ଉତ୍ତରକାଶୀର ବାରକୋଟରେ ବାଦଲ ଫଟା ବର୍ଷାରେ ଭାସିଗଲେ 17 ଶ୍ରମିକ । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ବାରକୋଟ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ 17 ଜଣ ଶ୍ରମିକ ଭାସି ଯାଇଛନ୍ତି।
ସୂଚନା ଅନୁଯାୟୀ, ରାତି ପ୍ରାୟ ଗୋଟିଏ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏକ ନିର୍ମାଣ ସ୍ଥାନରେ କାମ କରୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ପାଣି ମାଡ଼ିଆସିଥିଲା । ଯାହାର ପ୍ରଖର ସ୍ରୋତରେ ସେଠି ଉପସ୍ଥିତ 17 ଜଣ ଶ୍ରମିକ ଭାସିଯାଇଛନ୍ତି ।
ବର୍ତ୍ତମାନ, SDRF ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଭଗ୍ନାବଶେଷ ଯୋଗୁଁ ପରିସ୍ଥିତି ଗମ୍ଭୀର ରହିଛି। ଉଦ୍ଧାରକାରୀ ଦଳ ଭଗ୍ନାବଶେଷରେ ପୋତି ହୋଇଥିବା ଶ୍ରମିକଙ୍କୁ ଖୋଜୁଛନ୍ତି।
ଘଟଣାସ୍ଥଳକୁ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବାହିନୀ ଏବଂ ଡାକ୍ତରୀ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି । ଏବଂ ତାର ନିକଟବର୍ତ୍ତୀ ଅଞ୍ଚଳକୁ ଖାଲି କରାଯାଇଛି।
ବାଦଳ ଫଟା ବର୍ଷା ଯୋଗୁଁ ବଡ଼ କ୍ଷତି
ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ନଦୀ ଏବଂ ଝରଣାର ଜଳସ୍ତର ବୃଦ୍ଧି ପାଇଛି। ଅନେକ ସ୍ଥାନରେ ପ୍ରବଳ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି। କିଛି ସ୍ଥାନରେ ଯମୁନୋତ୍ରୀ ରାଜପଥ ଅବରୋଧ କରାଯାଇଛି। ପୋଲିସ, ଏନଡିଆରଏଫ ଏବଂ ଏସଡିଆରଏଫ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।