AIIMS ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି ଟ୍ରମା ସେଣ୍ଟର

ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛି ୮ଟି ଦମକଳ ଗାଡ଼ି।

ନୂଆଦିଲ୍ଲୀ: AIIMS ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ। ଟ୍ରମା ସେଣ୍ଟରରେ ଲାଗିଲା ନିଆଁ। ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ୮ରୁ ଅଧିକ ଅଗ୍ନିଶମ ଗାଡ଼ି।

ଗୁରୁବାର ଦିନ ଅପରାହ୍ନରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀମାନେ କହିଛନ୍ତି ଯେ, ଏମ୍ସ ଟ୍ରମା ସେଣ୍ଟରରେ ଏକ ଟ୍ରାନ୍ସଫର୍ମରରେ ନିଆଁ ଲାଗିଯିବା ପରେ ଅଗ୍ନିକାଣ୍ଡ ଘଟିଥିଲା।

ଏହି ଘଟଣାରେ କିନ୍ତୁ ଏଯାଏଁ ମୃତାହତଙ୍କ ସୂଚନା ମିଳିପାରିନାହିଁ। ଅଗ୍ନିଶମ ସେବା ଅପରାହ୍ନ ୩.୩୪ରେ ଏମ୍ସ ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮ ଟିୁ ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା।

ଅଗ୍ନିଶମ କର୍ମଚାରୀମାନେ କିଛି ସମୟ ମଧ୍ୟରେ ଟ୍ରାନ୍ସଫର୍ମରରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

କିନ୍ତୁ ଏହା ଆଶ୍ୱସ୍ତିର ବିଷୟ ଯେ, ଏହି ଘଟଣାରେ କୌଣସି ଜୀବନ କିମ୍ୱା ସମ୍ପତ୍ତିର କ୍ଷତି ହୋଇନାହିଁ।  ଏହି ପ୍ରସଙ୍ଗରେ AIIMS ପ୍ରଶାସନ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।