ଯେତେବେଳେ କାହାର ଜନ୍ମଦିନ ଆସେ ପରିବାର ଲୋକେ ଶାଢ଼ି, ମିଠା, ଅଳଙ୍କାର କିମ୍ବା ଅନ୍ୟ କିଛି ସାମଗ୍ରୀ ଉପହାର ଦେଇ ଜନ୍ମଦିନ ମନାଇଥାନ୍ତି। କିନ୍ତୁ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ତାଙ୍କ ମା’ଙ୍କ ୮୦ ତମ ଜନ୍ମଦିନକୁ ଏପରି ଅନନ୍ୟ ଉପାୟରେ ପାଳନ କଲେ ଯେ, ଯିଏ ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା। ସେ ତାଙ୍କ ମା’ଙ୍କୁ ୧୦୦୦୦ ଫୁଟ ଉଚ୍ଚତାରୁ ସ୍କାଏଡାଇଭିଂ କରି ଜନ୍ମଦିନ ଉପହାର ଦେଇଥିଲେ। ସମସ୍ତେ ଜେଜେମା’ଙ୍କ ବହୁତ ପ୍ରଶଂସା କରୁଛନ୍ତି।
ଡକ୍ଟର ଶ୍ରଦ୍ଧା ଚୌହାନ ଯିଏ ୮୦ ବର୍ଷ ବୟସରେ ସ୍କାଏଡାଇଭିଂ କରି ଭାରତର ସବୁଠାରୁ ବୟସ୍କ ମହିଳା ସ୍କାଏଡାଇଭରର ରେକର୍ଡ କରିଥିଲେ। ଅଧିକାରୀଙ୍କ ମା’ ତଥା ୟୁଜର୍ସମାନଙ୍କର ଜେଜେମା କମାଲ କରିଛନ୍ତି । ତାଙ୍କ ଜନ୍ମଦିନରେ, ସେ ୧୦୦୦୦ ହଜାର ଫୁଟ ଉଚ୍ଚତାରୁ ଡେଇଁ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି । ବିଶେଷ କଥା ହେଉଛି ଡକ୍ଟର ଚୌହାନଙ୍କୁ ସର୍ଭାଇକାଲ୍ ସ୍ପଣ୍ଡିଲୋସିସ୍ ଏବଂ ସ୍ପାଇନାଲ୍ ଡିସ୍କ ଭଳି ଗମ୍ଭୀର ସମସ୍ୟା ଥିଲା, ତଥାପି ସେ ହାର ମାନି ନଥିଲେ ଏବଂ ତାଙ୍କ ସ୍ୱପ୍ନ ପୂରଣ କରିଥିଲେ। ଏହି ସ୍କାଏଡାଇଭିଂ ହରିୟାଣାର ନାରନୌଲ୍ ଏୟାରଷ୍ଟ୍ରିପ୍ ରେ ହୋଇଥିଲା, ଯାହା ଦିଲ୍ଲୀରୁ ପ୍ରାୟ ଦୁଇ ଘଣ୍ଟା ଦୂରରେ ଅବସ୍ଥିତ। ଏହା ଦେଶର ଏକମାତ୍ର ପ୍ରମାଣିତ ସିଭିଲ୍ ଡ୍ରପ୍ ଜୋନ୍ ମଧ୍ୟ। ଏହି ଅବସରରେ ତାଙ୍କ ପୁଅ, ଅବସରପ୍ରାପ୍ତ ବ୍ରିଗେଡିୟର୍ ସୌରଭ ସିଂହ ଶେଖାୱତ୍, ଯିଏ ଭାରତର ସବୁଠାରୁ ସମ୍ମାନିତ ସେନା ଅଧିକାରୀମାନଙ୍କ ମଧ୍ୟରୁ ଜଣେ, ମଧ୍ୟ ଉପସ୍ଥିତ ଥିଲେ। ସେ ତାଙ୍କ ମାଆଙ୍କୁ ଏହି ସ୍ୱପ୍ନକୁ ସାକାର କରିବାରେ ବହୁତ ସାହାଯ୍ୟ କରିଥିଲେ।
ଭିଡିଓରେ ଦେଖାଯାଉଛି ଯେ, ବ୍ରିଗେଡିୟର୍ ଶେଖାୱତ୍ ତାଙ୍କ ମାଆଙ୍କୁ ଷ୍ଟ୍ରେଚ୍ କରି ଏବଂ ଗିଅର୍ ପିନ୍ଧିବାରେ ସାହାଯ୍ୟ କରି ଡେଇଁବା ପାଇଁ ପ୍ରସ୍ତୁତ କରୁଛନ୍ତି। ବିମାନରୁ ଡେଇଁବା ପୂର୍ବରୁ, ସେ ତାଙ୍କ ମାଆଙ୍କୁ ଗାଲରେ ଚୁମ୍ବନ ଦେଇ କହିଛନ୍ତି ଯେ, ଜନ୍ମଦିନର ଶୁଭେଚ୍ଛା। ଏହା ପରେ, ଉଭୟେ ଏକାଠି ଡେଇଁ ପଡ଼ିଥିଲେ ଏବଂ ଅବତରଣର ମୁହୂର୍ତ୍ତଗୁଡ଼ିକ ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା, ଯେଉଁଥିରେ ଉଭୟ ମାଆ ଏବଂ ପୁଅଙ୍କ ଖୁସି ସ୍ପଷ୍ଟ ଭାବରେ ଦେଖାଯାଉଥିଲା।
ଏହି ଭିଡିଓକୁ Skyhigh India @skyhighindia ଏହାର ଇନଷ୍ଟାଗ୍ରାମରେ ସେୟାର କରିଛି, ଯାହାକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଡକ୍ଟର ଚୌହାନ୍ ଅବତରଣ କରିବା ମାତ୍ରେ ଲୋକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ଏବଂ ତାଙ୍କୁ ଉତ୍ସାହିତ କରିବା ପାଇଁ ଏକାଠି ହୋଇଥିଲେ। ଲୋକମାନେ ଭିଡିଓରେ ଡକ୍ଟର ଚୌହାନଙ୍କ ସାହସକୁ ପ୍ରଶଂସା କରିଥିଲେ।
ଜଣେ ୟୁଜର ଲେଖିଛନ୍ତି, ଏଠାରେ ଯୁବକମାନେ ମଧ୍ୟ ସ୍କାଏଡାଇଭିଂ କରିବାକୁ ଭୟ କରନ୍ତି ଏବଂ ସେ ୮୦ ବର୍ଷ ବୟସରେ ଏହା କରିଥିଲେ। ଆଉ ଜଣେ କହିଛନ୍ତି, ଏହି ମହିଳା ପ୍ରକୃତରେ ନିର୍ଭୀକ। ଏହି ଅବସରରେ ଡକ୍ଟର ଶ୍ରଦ୍ଧା ଚୌହାନ କହିଛନ୍ତି, ମୁଁ ସବୁବେଳେ ଆକାଶରେ ଉଡିବାକୁ ଚାହୁଁଥିଲି। ମୋ ପୁଅ ଆଜି ମୋର ସ୍ୱପ୍ନ ପୂରଣ କରିଛି। ଏହା ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ।