ଏହି ଦେଶରେ ରହିଛି ଅଜବ ନିୟମ: ଦ୍ରୁତଗତିରେ ଗାଡ଼ି ଚଳାଇଲେ ଜରିମାନା ନାହିଁ, ମାତ୍ର ରାସ୍ତାରେ ତେଲ ସରିଲେ ମିଳିଥାଏ ଦଣ୍ଡ
ରାସ୍ତାରେ ଦ୍ରୁତଗତିରେ ଗାଡି ଚଲାଇବା କିମ୍ବା ହେଲମେଟ ପିନ୍ଧି ନ ଥିବାରୁ ଲୋକମାନଙ୍କୁ ପ୍ରାୟତଃ ଫାଇନ୍ ବା ଜରିମାନା ଦେବାକୁ ପଡ଼ିଥାଏ ବୋଲି ଜାଣିଥିବେ । ମାତ୍ର ଆପଣ କେବେ ଶୁଣିଛନ୍ତି କି ଯଦି ରାସ୍ତା ମଝିରେ ଗାଡିର ତେଲ ସରିଯାଏ, ତେବେ ଜରିମାନା ଲାଗୁ ହୋଇପାରେ କିମ୍ବା ଏଥିପାଇଁ ଦଣ୍ଡ ମଧ୍ୟ ଦିଆଯାଇପାରେ। ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।
ଏପରି ଦେଶ ହେଉଛି ଜର୍ମାନୀ। ଯେଉଁଠାରେ ଅଜବ ନିୟମ ରହିଛି। ଏହି ଦେଶରେ ଏକଛତ୍ରବାଦୀ ହିଟଲର ଥିଲେ। ହିଟଲରଙ୍କ ଯୋଗୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା। ଯଦିଓ ଏହି ଦେଶ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବିଶ୍ୱର ୧୦ଟି ଶକ୍ତିଶାଳୀ ଦେଶ ମଧ୍ୟରେ ଗଣନା କରାଯାଏ। କିନ୍ତୁ ଏହି ଦେଶ ସହିତ ଜଡିତ ଅନେକ ଆକର୍ଷଣୀୟ ତଥ୍ୟ ଅଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।
ଜର୍ମାନୀ ରାଜପଥରେ ଯେତେ ଗତିରେ ଚାହିଁବେ ଗାଡ଼ି ଚଲାଇପାରିବେ, ଏଥିପାଇଁ ଦଣ୍ଡର କୌଣସି ବ୍ୟବସ୍ଥା ନାହିଁ। ଏଠାରେ ଯଦି ରାସ୍ତା ମଝିରେ ଗାଡ଼ିରୁ ତେଲ ସରିଲା ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏଥିପାଇଁ ଦଣ୍ଡ କିମ୍ବା ଜରିମାନା ଦିଆଯାଇପାରେ।
ସାଧାରଣତଃ ଅନେକ ଦେଶରେ ଲୋକମାନେ ସମୟ ପୂର୍ବରୁ କାହାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥାନ୍ତି, କିନ୍ତୁ ଜର୍ମାନୀରେ ଏପରି କରିବା ଦୁର୍ଭାଗ୍ୟ ବୋଲି ବିବେଚନା କରାଯାଏ।
ସାଧାରଣତଃ ଯେତେବେଳେ ଲୋକମାନେ କାହାକୁ ଫୋନ୍ କରନ୍ତି କିମ୍ବା ଫୋନ୍ ଉଠାନ୍ତି, ସେମାନେ ପ୍ରଥମେ ‘ହେଲୋ’ କୁହନ୍ତି ଏବଂ ତା’ପରେ କଥା ହେବା ଆରମ୍ଭ କରନ୍ତି, କିନ୍ତୁ ଏଠାରେ ଲୋକମାନେ ଫୋନ୍ରେ ହେଲୋ କହିବା ପରିବର୍ତ୍ତେ ସିଧାସଳଖ ନିଜ ନାମ କହି କଥା ହେବା ଆରମ୍ଭ କରନ୍ତି।
ଆପଣ ହୁଏତ ଜାଣି ନଥିବେ, କିନ୍ତୁ ବିଶ୍ୱର ପ୍ରଥମ ପତ୍ରିକା ୧୬୬୩ ଖ୍ରୀଷ୍ଟାବ୍ଦରେ ଜର୍ମାନୀରେ ଆରମ୍ଭ ହୋଇଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସର୍ବାଧିକ ପୁସ୍ତକ ଛାପୁଥିବା ଦେଶ ତାଲିକାରେ ଜର୍ମାନୀର ନାମ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରତିବର୍ଷ ଏଠାରେ ୯୪ ହଜାରରୁ ଅଧିକ ପୁସ୍ତକ ମୁଦ୍ରିତ ହୁଏ।
ଜର୍ମାନୀରେ ବିଶ୍ୱର ସର୍ବାଧିକ ସଂଖ୍ୟକ ଚିଡ଼ିଆଖାନା ଅଛି। ଏହା ବ୍ୟତୀତ ବିଶ୍ୱର ସବୁଠାରୁ ଉଚ୍ଚ ଚର୍ଚ୍ଚ ମଧ୍ୟ ଏଠାରେ ଅଛି, ଯାହାର ନାମ ‘ଉଲ୍ମ ମିନିଷ୍ଟର’। ଏହି ଚର୍ଚ୍ଚର ଉଚ୍ଚତା ପ୍ରାୟ ୫୩୦ ଫୁଟ। ଏହା ଏତେ ବଡ଼ ଯେ, ଏଥିରେ ଦୁଇ ହଜାର ଲୋକ ଏକାଠି ଆରାମରେ ବସିପାରିବେ।