ଯୌତୁକ ଜୁଇରେ ବୋହୂ, ହାତ-ଗୋଡ଼-ପେଟରେ ଲେଖା ହୋଇଛି ସୁଇସାଇଡ୍ ନୋଟ୍

ଶ୍ୱଶୁର ଘରର ଯୌତୁକ ନିର୍ଯ୍ୟାତନା ଜୁଇରେ ଜଳିଗଲା ବୋହୂ।

ଉତ୍ତରପ୍ରଦେଶ: ପୁଣି ଜଣେ ମହିଳା, ଆଉ ଯୌତୁକ ନିର୍ଯ୍ୟାତନା। ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।  କାରଣ ମହିଳା ଜଣକ ଯୌତୁକ ନିର୍ଯ୍ୟାତନାର ଶିକାର ହେବା ପରେ ଆତ୍ମହତ୍ୟା କରିଛନ୍ତି।

ଆଉ ଆତ୍ମହତ୍ୟା ପୂର୍ବରୁ ନିଜ ଦେହରେ ଅର୍ଥାତ୍ ହାତ,ଗୋଡ଼ ଆଉ ପେଟରେ ସୁଇସାଇଡ୍ ନୋଟ୍ ଲେଖାଯାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଯୌତୁକ ପାଇଁ ଆତ୍ମହତ୍ୟା: ଏହି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବାଗପତରେ। ଜଣେ ୨୮ ବର୍ଷୀୟ ମହିଳା ତାଙ୍କ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ଯୌତୁକ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।

ପରେ ନିର୍ଯ୍ୟାତନା ସହି ନ ପାରି ମହିଳା ଜଣକ ଶେଷରେ ଆତ୍ମହତ୍ୟାର ବାଟ ବାଛିଲେ।  ଆଉ ବିଷ ପିଇ ଆତ୍ମହତ୍ୟା କଲେ। କିନ୍ତୁ ନିଜ ଜୀବନ ଶେଷ କରିବା ପୂର୍ବରୁ ନିଜ ଦେହରେ ସୁଇସାଇଡ୍ ନୋଟ୍ ଲେଖି ଦେଇଗଲେ।

ଦେହରେ ସୁଇସାଇଡ୍ ନୋଟ୍: ମହିଳା ଜଣକ ତାଙ୍କ ସ୍ୱାମୀ କୁନ୍ଦନ ଏବଂ ତାଙ୍କ ପରିବାର ଦ୍ୱାରା ନିର୍ଯାତନା ଯୋଗୁଁ ହେଉଥିବା ଯନ୍ତ୍ରଣାକୁ ନିଜ ହାତ, ଗୋଡ ଏବଂ ପେଟରେ କଲମରେ ଲେଖି ପ୍ରକାଶ କରିଛନ୍ତି।

ପିଡୀତା ଜଣକ ତାଙ୍କ ଦେହରେ ଲେଖିଛନ୍ତି ମୋ ମୃତ୍ୟୁ ପାଇଁ ମୋ ସ୍ୱାମୀ କୁନ୍ଦନ ଏବଂ ତାଙ୍କ ପରିବାର ଦାୟୀ। ପିଡୀତା ମନିଷା ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓ ମଧ୍ୟ ତିଆରି କରିଥିଲେ।

ଶେଷ ଭିଡ଼ିଓ: ଯେଉଁଥିରେ ମନୀଷା ତାଙ୍କ ମୃତ୍ୟୁ ପାଇଁ ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରିଥିଲେ। ଏହି ଭିଡ଼ିଓ ଟି ପୋଲିସର ହସ୍ତଗତ ହୋଇଥିଲା।

ଯେଉଁଥିରେ ମନୀଷା କାନ୍ଦୁଥିବା ଏବଂ ତାଙ୍କ ସ୍ୱାମୀ, ତାଙ୍କ ମାଆ, ବାପା ଏବଂ ଭାଇ ତାଙ୍କୁ ଯୌତୁକ ପାଇଁ କିପରି ନିରନ୍ତର ହଇରାଣ କରୁଥିଲେ ତାହା କହୁଥିବାର ଦେଖାଯାଇଥିଲା।

ମନୀଷା ଶେଷ ଭିଡ଼ିଓରେ କହୁଥିଲେ କି ଶ୍ୱଶୁର ଘର ଲୋକ ତାଙ୍କଠାରୁ ବାରମ୍ବାର ଏକ କାର ଏବଂ ଟଙ୍କା ମାଗୁଥିଲେ। ଯଦିଓ ତାଙ୍କ ବାପଘର ଲୋକ ବାହାଘର ବେଳେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ଯୌତୁକରେ ଏକ ବୁଲେଟ୍ ଗାଡ଼ି ମଧ୍ୟ ଦେଇଥିଲେ।

ସେ ଆହୁରି ମଧ୍ୟ ଦାବି କରିଥିଲେ ଯେ ତାଙ୍କ ଶ୍ୱଶୁର ଘର ଲୋକ ଏବଂ ସ୍ୱାମୀ  ମାରଧର କରୁଥିଲେ ଏବଂ ଗର୍ଭପାତ କରିବାକୁ ମଧ୍ୟ ବାଧ୍ୟ କରୁଥିଲେ।

ହତ୍ୟା କରିବାକୁ ଷଡ଼ଯନ୍ତ୍ର: ସେ ଦାବି କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକେ ଯୌତୁକ ଦାବି ପୂରଣ ନ କରିବାରୁ ତାଙ୍କୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଛି।

ପୋଲିସ କହିଛି ଯେ ମନୀଷା ୨୦୨୩ ମସିହାରେ ନୋଏଡାର ବାସିନ୍ଦା କୁନ୍ଦନଙ୍କ ସହ ବିବାହ କରିଥିଲେ। ବିବାହର କିଛି ମାସ ପରେ ତାଙ୍କ ଶ୍ୱଶୁର ଘର ଲୋକ ଯୌତୁକ ପାଇଁ ତାଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ।

ମାନସିକ ନିର୍ଯାତନା ବୃଦ୍ଧି ପାଇବାରୁ ମହିଳା ଜଣକ ଜୁଲାଇ ୨୦୨୪ ରେ ତାଙ୍କ ବାପଘରକୁ ଚାଲିଯାଇଥିଲେ। ତାଙ୍କ ମୃତ୍ୟୁର ଚାରି ଦିନ ପୂର୍ବରୁ ମନୀଷାଙ୍କ ପରିବାର ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ପାଇବା ବିଷୟରେ କଥାବାର୍ତ୍ତା ଆରମ୍ଭ କରିଥିଲେ।

ହେଲେ ସେ କହିଥିଲେ ଯେ ତାଙ୍କ ଶ୍ୱଶୁର ଘର ଲୋକ ଯୌତୁକ ସାମଗ୍ରୀ ଫେରସ୍ତ ନ କରିବା ପର୍ଯ୍ୟନ୍ତ ସେ ଛାଡପତ୍ର କାଗଜରେ ଦସ୍ତଖତ କରିବେ ନାହିଁ।