ଇନସ୍ୟୁରାନ୍ସ ଟଙ୍କା ପାଇଁ ମାଷ୍ଟରପ୍ଲାନ, ନିଜ ଗୋଡକୁ ନିଜେ କାଟିଲେ ଡାକ୍ତର
୬ କୋଟି ଟଙ୍କା ପାଇଁ ଡାକ୍ତର ନିଜ ପାଦ ନିଜେ କାଟି ଦେଇଛନ୍ତି।
ନୂଆଦିଲ୍ଲୀ: ଟଙ୍କା ଲୋଭ ଏତେ ମାତ୍ରାରେ ଲୋକଙ୍କୁ ଗ୍ରାସ କରେ ଯେ ଅନ୍ୟଙ୍କୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ପଛାନ୍ତିନି ଲୋକ। ହେଲେ ଜଣେ ବ୍ୟକ୍ତି ଟଙ୍କା ପାଇଁ ଏମିତି କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଟଙ୍କା ପାଇଁ ଏହି ବ୍ୟକ୍ତି ନିଜ ଗୋଡ଼କୁ ନିଜେ କାଟିବାକୁ ପଛଘୁଞ୍ଚା ଦେଇନାହାଁନ୍ତି। ସେ ପୁଣି ଜଣେ ଡାକ୍ତର। ୪୯ ବର୍ଷର ଜଣେ ଡାକ୍ତର ଏହି ଭୟଙ୍କର ଘଟଣାକୁ ଘଟାଇଛନ୍ତି ସେ ପୁଣି ନିଜ ଶରୀରରେ। ୬ କୋଟି ଟଙ୍କା ପାଇଁ ଡାକ୍ତର ନିଜ ପାଦ ନିଜେ କାଟି ଦେଇଛନ୍ତି।
ଏହି ମାମଲା ସାମ୍ନାକୁ ଆସିବା ପରେ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେହି ବିଶ୍ୱାସ କରିପାରୁନାହାଁନ୍ତି ଯେ କେହି ନିଜ ସହିତ ଏପରି ଘଟାଇପାରିବ ବୋଲି।
ପ୍ରକୃତରେ ମାମଲାଟି ବ୍ରିଟେନର। ଏଠାରେ ନୀଲ ହୋପର ନାମକ ଜଣେ ସର୍ଜନ ୫ ଲକ୍ଷ ପାଉଣ୍ଡ (ପ୍ରାୟ ୫.୮୨ କୋଟି ଟଙ୍କା) ର ବୀମା ପାଇଁ ତାଙ୍କର ଦୁଇଟି ଗୋଡ କାଟି ଦେଇଥିଲେ। ପରେ ସେ ବୀମା କମ୍ପାନୀ ସମ୍ମୁଖରେ ଏକ କାହାଣୀ ରଚନା କରିଥିଲେ ଯେ ସେ ସେପ୍ସିସ୍ ଯୋଗୁଁ ଉଭୟ ଗୋଡ ହରାଇଛନ୍ତି।
ହୋପରଙ୍କ ବିରୁଦ୍ଧରେ ପ୍ରମାଣ ଉପସ୍ଥାପନ କରିବା ସମୟରେ, ତାଙ୍କ କର୍ମର କାହାଣୀ କୋର୍ଟରେ କୁହାଯାଇଥିଲା। ସେ ଦୁଇଟି ବଡ଼ ବୀମା କମ୍ପାନୀରୁ ଇନୁସ୍ୟୁରାନ୍ସ ପାଇବା ପାଇଁ ୩ ଜୁନ୍ ଏବଂ ୨୬ ଜୁନ୍ ୨୦୧୯ ରେ କ୍ଲେମ୍ କରିଥିଲେ। ଦୁଇ ରାଶିକୁ ମିଶାଇ ପ୍ରାୟ ୫ ଲକ୍ଷ ବ୍ରିଟିଶ ପାଉଣ୍ଡ ଥିଲା। ସେ ତାଙ୍କ ଗୋଡ଼ ହରାଇବାର ଏକ ମିଥ୍ୟା କାହାଣୀ ଗଢ଼ିଥିଲେ। ୨୦୨୩ ମସିହାରେ ତାଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଥିଲା।
କେବଳ ଏତିକି ନୁହେଁ, ସେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସମାନ କାମ କରିବାକୁ ପ୍ରୋତ୍ସାହିତ କରିଥିଲେ। ତାଙ୍କ ଉପରେ ମାରିଅସ୍ ଗୁଷ୍ଟାଭସନ୍ ଙ୍କୁ ଅନ୍ୟ ଲୋକଙ୍କ ଅଙ୍ଗ କାଟିବା ପାଇଁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଛି।
କୋର୍ଟରେ ଉପସ୍ଥାପିତ ଦଲିଲରେ କୁହାଯାଇଛି ଯେ ହପର୍ ଏକ ୱେବସାଇଟ୍ ରୁ ଭିଡିଓ କିଣିଥିଲେ ଯାହା ଅଙ୍ଗ କାଟିବା ପ୍ରକ୍ରିୟାକୁ ବ୍ୟାଖ୍ୟା ଏବଂ ପ୍ରୋତ୍ସାହିତ କରେ। ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଅଗଷ୍ଟ ୨୧, ୨୦୧୮ ରୁ ଡିସେମ୍ବର ୪, ୨୦୨୦ ମଧ୍ୟରେ ଜାରି ରହିଥିଲା।
ଆଶ୍ଚର୍ଯ୍ୟର କଥା, ତାଙ୍କ ଗୋଡ଼ କାଟିବା ପରେ ମଧ୍ୟ ସେ ଖୁସି ଥିଲେ। ଏକ ସାକ୍ଷାତକାରରେ ସେ ନିଜେ କହିଥିଲେ, ‘ମୋର ଗୋଡ଼ ହରାଇବା ପରେ ଜୀବନ ଅଧିକ ଆକର୍ଷଣୀୟ ହୋଇଗଲା।’ ତାଙ୍କ ଉପରେ ଠକେଇ ଏବଂ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବାର ଅଭିଯୋଗ ଅଛି। କୋର୍ଟରେ ମାମଲା ଏବେ ବି ଚାଲିଛି। ହେଲେ ଏସବୁରୁ ଡାକ୍ତରଙ୍କୁ କିଛି ଫରକ ପଡ଼ୁନି।