ସୃଷ୍ଟି ହେଲା ଲଘୁଚାପ, ୧୫ ଯାଏଁ ପ୍ରବଳ ଛେଚିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗର ଉପର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ଏଥି ସହ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ସ୍ପଷ୍ଟ ହେବ। ଫଳରେ ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ରାଜ୍ୟର ଅନେକାଂଶରେ ପ୍ରବଳ ବ‌ର୍ଷାର ଆଶଙ୍କା ରହିଥିବା ବେଳେ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ବି ହୋଇପାରେ।

୧୩ ଠାରୁ ୧୫ ତାରିଖ ଯାଏଁ ମାଲକାନଗିରି ଓ କୋରାପୁଟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଣୁ ଏହି ଦୁଇ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥି ସହ ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅବଶିଷ୍ଟ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପରବର୍ତ୍ତୀ ୨ ଦିନ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପକୂଳସ୍ଥ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଥିବାରୁ ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ପ୍ରବେଶ ପାଇଁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି।