କ୍ରୁରତାର ସବୁ ସୀମା ପାର୍, ସିଂହ ମୁହଁକୁ ଶ୍ରମିକକୁ ଠେଲିଦେଲା ମାଲିକ

ନୂଆଦିଲ୍ଲୀ: କ୍ରୁରତାର ସବୁ ସୀମା ପାର୍। ଦୁନିଆରେ ଏମିତି ବି ଅମାନୁଷିକ ଲୋକ ଅଛନ୍ତି। ମାଲିକ ହେଲେ ବୋଲି ଶ୍ରମିକ ଜୀବନକୁ ଖାତିର ନାହିଁ।  ଏକଥା କହିବାର ଅର୍ଥ ଜଣେ ମାଲିକ ତାଙ୍କ ଶ୍ରମିକ ଉପରକୁ ସିଂହ ଛାଡ଼ି ଦେବା ଘଟଣା ଏବେ ପୁରା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି।

ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଉତ୍ତର ଆଫ୍ରିକୀୟ ଦେଶ ଲିବିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଫାର୍ମ ମାଲିକ ତାଙ୍କ ପାଳିତ ସିଂହକୁ ଜଣେ ମିଶରୀୟ ଶ୍ରମିକଙ୍କ ଉପରେ ଛାଡ଼ି ଦେଇଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ, ଲିବିଆ ଏବଂ ମିଶରର ଲୋକମାନେ ରାଗିଯାଇ ମାଲିକକୁ ଗିରଫ କରିବା ପାଇଁ ଦାବି କଲେ।  ପରେ ଅଭିଯୁକ୍ତ ମାଲିକଙ୍କୁ ଗିରଫ କରାଯାଇଛି।

ଭିଡ଼ିଓରେ କ’ଣ ଅଛି: ଫେସବୁକରେ ଭାଇରାଲ୍ ହେଉଥିବା ଭିଡ଼ିଓରେ ଗୋଟିଏ ସିଂହ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି।  ଏହି ସମୟରେ ସିଂହଟି ବ୍ୟକ୍ତିଙ୍କୁ ଅନେକଥର କାମୁଡିବାକୁ ଚେଷ୍ଟା କରୁଛି।  କିନ୍ତୁ ବ୍ୟକ୍ତି ଜଣକ ଶାନ୍ତ ରହିଛନ୍ତି ଏବଂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

କୁହାଯାଉଛି ଯେ କିଛି ସମୟ ଧରି ସଂଘର୍ଷ ପରେ, ବ୍ୟକ୍ତି ଜଣକ କୌଣସି ପ୍ରକାରେ ସିଂହର କବଳରୁ ନିଜକୁ ରକ୍ଷା କରିଥିଲେ।

ମାଲିକ କ’ଣ କହିଲେ: ଗଲ୍ଫ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଫାର୍ମ ମାଲିକ ଏହି ଘଟଣାକୁ ‘ପ୍ରାଙ୍କ’ ବୋଲି ବର୍ଣ୍ଣନା କରିଥିଲେ। କିନ୍ତୁ ସରକାରୀ ଓକିଲ ଏହାକୁ ‘ଶକ୍ତିର ଗମ୍ଭୀର ଅପବ୍ୟବହାର ଏବଂ ସାଧାରଣ ସୁରକ୍ଷା ପାଇଁ ଏକ ବଡ଼ ବିପଦ’ ବୋଲି ବର୍ଣ୍ଣନା କରିଥିଲେ।

ତୁରନ୍ତ ଦଣ୍ଡ ପାଇଁ ଦାବି ହୋଇଥିଲା: ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ନେଟିଜେନମାନେ ରାଗିଯାଇଥିଲେ। ଜଣେ ୟୁଜର ଏହାକୁ ମଣିଷ ଜୀବନ ସହିତ ଖେଳ ବୋଲି କହିବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦାବି କରିଥିଲେ।

ସେହିପରି ସିଂହ ଆକ୍ରମଣ ସତ୍ତ୍ୱେ ଶ୍ରମିକ ଶାନ୍ତ ରହିବାକୁ ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ, କିନ୍ତୁ ଏହା ମଧ୍ୟ କହିଥିଲେ ଯେ ପରିସ୍ଥିତି ଯେକୌଣସି ସମୟରେ ବିପଦପୂର୍ଣ୍ଣ ହୋଇଯାଇଥାନ୍ତା।

ଫାର୍ମ ମାଲିକଙ୍କ ବିରୋଧରେ ଅଭିଯୋଗ: ପୋଲିସ ଫାର୍ମ ମାଲିକଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିଛି, ଯେଉଁଥିରେ ମାନବ ଜୀବନକୁ ବିପଦରେ ପକାଇବା, ଆତଙ୍କ ସୃଷ୍ଟି କରିବା ଏବଂ ମାନସିକ ଏବଂ ସାମାଜିକ କ୍ଷତି ପହଞ୍ଚାଇବା ଅନ୍ତର୍ଭୁକ୍ତ। ତାଙ୍କ ବିରୁଦ୍ଧରେ ଧାର୍ମିକ ଏବଂ ନାଗରିକ ଆଇନ ଉଲ୍ଲଂଘନ କରିବାର ମଧ୍ୟ ଅଭିଯୋଗ ଅଛି।