ଅନ୍ଧ ଭିକାରୀର ବିବାହ ସଉକ୍… ୨ ଜଣଙ୍କୁ ବାହାହେବା ପରେ ଖୋଜୁଛି ତୃତୀୟ ମହିଳା, ଆଲିମନି ଦାବିରେ କୋର୍ଟରେ ହାଜର ହେଲେ ୨ୟ ସ୍ତ୍ରୀ
ଭିକାରୀର ମାସକୁ ରୋଜଗାର ୨୫ ହଜାର ଟଙ୍କା । ତୃତୀୟ ବିବାହ କରିବାକୁ ସ୍ତ୍ରୀକୁ ଦେଉଛି ଧମକ । କେରଳ ହାଇକୋର୍ଟ କଲେ ଭର୍ତ୍ସନା ।
ଥିରୁଭାନନ୍ତପୁରମ: ଯଦି ଜଣେ ସ୍ୱାମୀ ସ୍ତ୍ରୀଙ୍କୁ ପୋଷିବାରେ ଅକ୍ଷମ ତେବେ ସେ ବାହା ହେବା ଉଚିତ୍ ନୁହେଁ ବୋଲି ଏକ ମାମଲାର ଶୁଣାଣିରେ କେରାଳ ହାଇକୋର୍ଟ କହିଛନ୍ତି ।
ଜଷ୍ଟିସ୍ ପି.ଭି. କୁହ୍ନିକ୍ରିଷ୍ଣନ ଏକ ଆବେଦନର ଶୁଣାଣିରେ ଏ କଥା କହିଛନ୍ତି । ୩୯ ବର୍ଷର ମହିଳା ସ୍ୱାମୀଙ୍କଠାରୁ ଭରଣପୋଷଣ ବାବଦକୁ ମାସିକ ୧୦ ହଜାର ଟଙ୍କା ଦାବି କରି ଏକ ପିଟିସନ୍ କେରଳ ହାଇକୋର୍ଟରେ ଫାଇଲ୍ କରିଛନ୍ତି ।
ମହିଳା ପ୍ରଥମେ ଏ ମାମଲା ସଂକ୍ରାନ୍ତରେ ଫ୍ୟାମିଲି କୋର୍ଟରେ ପିଟିସନ୍ କରିଥିଲେ । କିନ୍ତୁ ଫ୍ୟାମିଲି କୋର୍ଟ ମାମଲା ଡିସମିସ ହେବାପରେ ମହିଳାଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ମହିଳାଙ୍କ ୪୬ ବର୍ଷୀୟ ସ୍ୱାମୀ କୁମ୍ବାଡିର ହୋଇଥିବାବେଳେ ପେଶାରେ ସେ ଜଣେ ଭିକାରୀ । ଯେଉଁ କାରଣରୁ ସେ ତାଙ୍କ ସ୍ତ୍ରୀକୁ ଭରଣ ପୋଷଣ ପାଇଁ ୧୦ ହଜାର ଟଙ୍କା ଦେଇ ପାରିବେ ନାହିଁ ବୋଲି ଫ୍ୟାମିଲି କୋର୍ଟରେ ଗୁହାରି କରିଥିଲେ । ଯାହାପରେ ଜଜ୍ ମାମଲାକୁ ଡିସମିସ କରିଦେଇଥିଲେ ।
ହାଇକୋର୍ଟ ମାମଲାର ରାୟ ଶୁଣାଇ କହିଛନ୍ତି, କେବେ ବି ନିଜ ହାତ ଭିକାରିଙ୍କ ଥାଳରେ ଭର୍ତ୍ତି କରିବା ଅନୁଚିତ୍ । ମୁସଲମାନ ସମ୍ପ୍ରଦାୟରେ ଏକାଧିକ ପତ୍ନୀ ରଖିବାର ପ୍ରଥା ରହିଛି, ହେଲେ ଯଦି କୌଣସି ବ୍ୟକ୍ତି ସ୍ତ୍ରୀ’ର ଭରଣ ପୋଷଣ କରିବାକୁ ସମର୍ଥ ନୁହେଁ ତେବେ ସେ ଏକାଧିକ ସ୍ତ୍ରୀଙ୍କୁ ବାହାହେବା ଉଚିତ୍ ନୁହେଁ ।
ଆବେଦନକାରୀ ମହିଳାଙ୍କ ଅନୁସାରେ ତାଙ୍କ ସ୍ୱାମୀ ଜଣେ ଅନ୍ଧ । ସେ ଭିକମାଗି ପରିବାର ପ୍ରତିପୋଶଣ କରୁଥିବାବେଳେ ମାସକୁ ତାଙ୍କର ୨୫ ହଜାର ରୋଜଗାର ।
ଆବେଦନକାରୀ ଦ୍ୱିତୀୟ ପତ୍ନୀ ହୋଇଥିବାବେଳେ ତାଙ୍କ ସହ ସ୍ୱାମୀଙ୍କର ସବୁବେଳେ କଳିଗୋଳ ଲାଗି ରହୁଥିଲା । ଯାହାପରେ ସେ ସ୍ୱାମୀଘର ଛାଡ଼ି ନିଜ ଘରକୁ ଚାଲିଆସିଥିଲେ । ସ୍ୱାମୀ ସବୁବେଳେ ମାଡ଼ଗୋଳ କରିବା ସହ ତୃତୀୟ ବିବାହ କରିବା ପାଇଁ ଦମକ ଦେଉଥିବା ମହିଳା କହିଛନ୍ତି ।