ରାତିରେ ଚଢନ୍ତୁ ନାହିଁ ଏଭରେଷ୍ଟ; ମାଡି ଆସିବ ବିପଦ, ଫେରିବାକୁ ମିଳିବନି ବାଟ…
ଡେଥଜୋନରେ ରହିଲେ ମୃତ୍ୟୁ ହେବାର ସମ୍ଭାବନା...
ଓଡିଶା ଭାସ୍କର: ମାଉଣ୍ଟ ଏଭରେଷ୍ଟ, ବିଶ୍ୱର ସବୁଠାରୁ ଉଚ୍ଚତମ ପର୍ବତଶୃଙ୍ଗ । ଏହା ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ରହସ୍ୟମୟ ମଧ୍ୟ । ପର୍ବତଆରୋହୀଙ୍କ ସ୍ୱପ୍ନ ଥାଏ କି ସେମାନେ ଜୀବନରେ ଗୋଟିଏ ଥର ଏଭରେଷ୍ଟ ଉପରୁ ଯିବେ ଓ ଦେଶର ପତାକା ଉଡାଇବେ ।
ମାତ୍ର କ’ଣ ଜାଣନ୍ତି କି କୌଣସି ପର୍ବତଆରୋହୀ କେବେ ମଧ୍ୟ ରାତିରେ ଏଭରେଷ୍ଟ ଚଢିବା ପାଇଁ ଚାହିଁବେ ନାହିଁ । ଏହାପଛରେ ରହିଛି ଏକ ବଡ କାରଣ । ଆସନ୍ତୁ ଜାଣିବା …
ରାତିରେ ଏଭରେଷ୍ଟର ତାପମାତ୍ରା ମାଇନସ୍ ୧୫ ଡିଗ୍ରୀ ତଳକୁ ଖସିଯାଏ । ଫଳରେ ୮ହଜାର ମିଟର ଉପରେ ରହିବା ସହଜ ହୁଏ ନାହିଁ । କେବଳ ଏତିକି ନୁହେଁ ଏହାପଛରେ ଆହୁରୀ ଅନେକ କାରଣ ରହିଛି ।
ଡେଥି ଜୋନରେ ରହିବା ବିପଦ: ୮୦୦୦ ମିଟରରୁ ଅଧିକ ଉଚ୍ଚତାରେ, ଅମ୍ଳଜାନ ସ୍ତର ବହୁତ କମ୍ ହୋଇଯାଏ। ଫଳରେ ପର୍ବତାରୋହୀଙ୍କୁ ଏତେ ଉଚ୍ଚ ସ୍ଥାନରେ ପ୍ରାୟ ବିଶ୍ରାମ ନେବାକୁ ମନା କରାଯାଇଥାଏ । କାରଣ ବିଶ୍ରାମ ନେବା ସମୟରେ ଅମ୍ଳଜାନ ଅଭାବରୁ ନିଶ୍ୱାସ ନେବା କଷ୍ଟକର ହୋଇଥାଏ।
ଡେଥ୍ ଜୋନରେ ରାତି ବିତାଇବା ଦ୍ୱାରା ହାଇପୋକ୍ସିଆ ଭଳି ସମସ୍ୟା ଦେଖାଦିଏ । ଏହି ଅବସ୍ଥାରେ ଶରୀରରେ ଥିବା ଟିସୁ ଗୁଡ଼ିକରେ ପର୍ଯ୍ୟାପ୍ତ ଅମ୍ଳଜାନର ପହଞ୍ଚିପାରେ ନାହିଁ ।
ଫଳରେ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରିଦିଏ, ଏପରିକି ମଣିଷର ମୃତ୍ୟୁ ହେବାର ସମ୍ଭାବନା ଥାଏ ।
ଏହା ଛଡା ଏତେ ଉଚ୍ଚରେ ଥିବା ପବର୍ତାରୋହୀଙ୍କ ପାଖରେ ପହଞ୍ଚିବା ଏବଂ ତାଙ୍କୁ ଉଦ୍ଧାର କରିବା ପାଇଁ ଅନେକ ସମୟ ଲାଗେ ।
ଅତ୍ୟଧିକ ଥଣ୍ଡାରୁ ବିଗିଡି ପାରେ ସ୍ୱାସ୍ଥ୍ୟ: ଏଭରେଷ୍ଟରେ ରାତିର ତାପମାତ୍ରା ବହୁତ କମିଯାଏ। ହାତରୁ କିଛି ମିନିଟ ପାଇଁ ଗ୍ଲୋବ କାଢିଲେ ମଧ୍ୟ ହାତରେ ବରଫ ଜମାଟ ବାନ୍ଧି ଯାଏ । ଏହାଛଡା ରାତିରେ ପବନର ବେଗ ସର୍ବାଧିକ ଥିବାରୁ ବେଳେବେଳେ ତମ୍ବୁ ଟାଣି ନିଜକୁ ସୁରକ୍ଷା ଦେବା ଅସମ୍ଭବ ହୋଇଥାଏ । ଏଭଳି ପରିସ୍ଥିତିରେ ଖୋଲା ଆକାଶ ତଳେ ରହିବା କୌଣସି ବିପଦ ଠାରୁ କମ ନୁହେଁ ।
ରାତିରେ ଏଭରେଷ୍ଟ ଉପରକୁ ଯିବା ଅନୁଚିତ୍: ଅଭିଜ୍ଞ ପର୍ବତାରୋହୀମାନେ ମଧ୍ୟ ପର୍ବତ ଉପରେ ରାତି କାଟିବାକୁ ମନା କରିଥାନ୍ତି । କିଛି ପର୍ବତାରୋହୀଙ୍କ କହିବା ଅନୁଯାୟୀ ସେମାନେ ସକାଳୁ ଚଢିବା ଆରମ୍ଭ କରନ୍ତି ଯେପରିକି ରାତି ସୁଦ୍ଧା ସୁରକ୍ଷିତ ସ୍ଥାନରେ ପହଞ୍ଚି ପାରିବେ ସେ ବିଷୟରେ ଧ୍ୟାନ ଦିଅନ୍ତି , ଏଥିପାଇଁ ଆଗୁଆ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାଆନ୍ତି । ରାତି ସମୟରେ ରାସ୍ତା ଜଣାପଡିନଥାଏ, ଏଣୁ ଭୁଲ ରାସ୍ତାରେ ଯିବା ଫଳରେ ଦୁର୍ଘଟଣା ହେବାର ଆଶଙ୍କା ମଧ୍ୟ ଥାଏ ।
ଏହି ସବୁ କାରଣ ପାଇଁ ପର୍ବତାରୋହୀମାନେ ଦିନରେ ଏଭରେଷ୍ଟ ଚଢିବାକୁ ଉଚିତ ବୋଲି ମନେକରନ୍ତି ।