fbpx

ସମଲେଇ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍, ଜାଣନ୍ତୁ କେତେ ?

ସମ୍ବଲପୁର , ୯ ।୪(ଓଡିଶା ଭାସ୍କର): ସମଲେଇ ଯୋଜନା ପାଇଁ ଆଜି ବଡ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଥଇଥାନ ଓ ପୁନର୍ବାସ ପାଇଁ ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କ ପାଇଁ ଆକର୍ଷଣୀୟ କ୍ଷତିପୂରଣ ବ୍ୟବସ୍ଥାମାନ ଏହି ପ୍ୟାକେଜରେ ରହିଛି ।

ଏଥିରେ ପୂଜାରୀଙ୍କ ପାଇଁ ଜମି ବଦଳରେ ଜମି ଓ ଘର ଲାଗି ସହାୟତା ଦିଆଯାଇଛି । ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଆଦେଶ ଦିଆଯାଇଛି । ପ୍ରତ୍ୟେକ ପରିବାରକୁ ୧୨ ମାସ ପାଇଁ ୧୦ ହଜାର ଟଙ୍କା ଘରଭଡା ଦିଆଯିବ । ଯେଉଁ ପୂଜାରୀଙ୍କ ଘର ନଥିବ ସେମାନଙ୍କୁ ପୁନର୍ବାସ ପ୍ୟାକେଜରେ ଥଇଥାନ ପାଇଁ ବ୍ୟବସ୍ଥା ହୋଇଛି । ଜାଗାର ପଟ୍ଟା ଥିବା ସବୁ ଦୋକାନ ମାଲିକଙ୍କ ଠାରୁ ଜମି କିଣାଯିବ । କ୍ଷତିପୂରଣ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ । ଦୋକାନକୁ ଅନ୍ୟ ସ୍ଥାନରେ ଅବସ୍ଥାପିତ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ ।

୨ଟି ସମାନ କିସ୍ତିରେ ସହାୟତା ପ୍ରଦାନ କରାଯିବ । ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରୁ ଗୋଟିଏ ଓ ଅଧିଗ୍ରହଣ ପରେ ଅନ୍ୟ କିସ୍ତି ପ୍ରଦାନ କରାଯିବ । ସରକାରୀ ଜାଗା ଓ ବସ୍ତିରେ ଥିବା ଅନଧିକୃତ ଘରକୁ ବି ସହାୟତା ମିଳିବ । ଛୋଟ ଛୋଟ କଚ୍ଚା କିମ୍ବା ଆଂଶିକ ପକ୍କାଘର ପରିବାରକୁ ସହାୟତା ମିଳିବ । ଏକକାଳୀନ ୫୦ ହଜାର ଟଙ୍କା କିମ୍ବା ଘରର ମୂଲ୍ୟ ଯାହା, ସେମାନଙ୍କୁ ପ୍ରଦାନ କରାଯିବ । ପୁନର୍ବାସ ପାଇଁ ୬୫୦ ବର୍ଗଫୁଟ୍ ଅଞ୍ଚଳର ଜାଗା ଦିଆଯିବ । ବଡ ପକ୍କାଘର ଥିବା ବସ୍ତିର ପରିବାରକୁ ଘରର ମୂଲ୍ୟ ଓ ଜାଗା ଦିଆଯିବ । ଏସଏମସି ଦ୍ୱାରା ପରିବହନ ଓ ୮ ଦିନ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇଛି । ଅନ୍ୟ ଜାଗାରେ ଥିବା ବେସରକାରୀ ସ୍ଥାନରେ ଅନଧିକୃତ ଘର ପାଇଁ ସହାୟତା ଦିଆଯିବ । ପ୍ରତ୍ୟେକ ପରିବାର ପାଇଁ ଘରର ବଜାର ଦର ଅନୁଯାୟୀ କ୍ଷତିପୂରଣ ଦିଆଯିବ । ପରିବାରକୁ ୨,୫୭,୪୭୫ ଟଙ୍କା ପୁନର୍ବାସ ସହାୟତା ଦିଆଯିବ ।

ପରିବହନ ପାଇଁ ପରିବାର ପିଛା ଏକକାଳୀନ ୫୦ ହଜାର ଟଙ୍କା ଦିଆଯିବ । ଆଂଶିକ ପକ୍କାଘର ଥିବା ଦୋକାନ ଘର ପାଇଁ ୩୦ ହଜାର ଟଙ୍କାର ସହାୟତା ଦିଆଯିବ । ସମ୍ପୂର୍ଣ୍ଣ ପକ୍କାଘର ଥିବା ଦୋକାନ ଘର ପାଇଁ ୫୦ ହଜାର ଟଙ୍କା ଦିଆଯିବ । ଉଠା ଦୋକାନୀଙ୍କୁ ୨ଟି କିସ୍ତିରେ ୩୦ ହଜାର ଟଙ୍କା ଦିଆଯିବ । ଉଠା ଦୋକାନୀଙ୍କ ପାଇଁ ଏକ ଷ୍ଟ୍ରିଟ ଭେଣ୍ଡିଂ ପ୍ଲାନ ସହ ଥଇଥାନ କରାଯିବ । ପ୍ରକଳ୍ପ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରାଯିବ । ଏହା ସହ ପ୍ରକଳ୍ପକୁ ଆଗେଇ ନେବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.