fbpx

କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ: ୨୩  ମୃତ

ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ଇରାକର ରାଜଧାନୀ ବାଗଦାଦରେ ଥିବା ଇବନ୍-ଅଲ୍-ଖାତିବ୍ ହସ୍ପଟାଲରେ ଏହି ଅଗ୍ନିକାଣ୍ଡଟି ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣାଟି ଘଟିଛି । ସୂଚନା ଅନୁସାରେ ହସ୍ପିଟାଲରେ କରୋନା ଭାଇରସ୍ ଇଣ୍ଟେନସିଭ୍ କେୟାର ୟୁନିଟିରେ ଏହି ନିଆଁ ଲାଗିଯାଇଥିଲା । ମେଡିକାଲରୁ ମିଳିଥିବା ସୂଚନା ଅନୁସାରେ ଅକ୍ସିଜେନ୍ ସିଲିଣ୍ଡର ଠିକ୍ ଭାବେ ରଖା ଯାଇନଥିବା ଭୁଲ୍ ଯୋଗୁଁ ବିସ୍ଫୋରଣ ଘଟି ଏହି ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଛନ୍ତି ।

ଏହି ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟିରେ ପ୍ରାୟ ୩୦ଜଣ ରୋଗୀଙ୍କ ପାଖରେ ତାଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ। ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ଘଟିବା ବେଳେ ନିଆଁ ହସ୍ପିଟାଲର ବିଭିନ୍ନ ମହଲାକୁ ବ୍ୟାପିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ୧୨୦ଜଣ ରୋଗୀ ଏବଂ ସେମାନଙ୍କ ପରିବାର ସମ୍ପର୍କୀୟଙ୍କ ମଧ୍ୟରୁ ୯୦ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ରହିଛି । ଘଟଣାର ତଦନ୍ତ ସହ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଦଣ୍ଡବିଧାନ କରିବା ଲାଗି ଏକ ତଦନ୍ତ କମିସନ୍ ବସାଇବାକୁ ବାଗଦାଦର ରାଜ୍ୟପାଳ ମହମଦ୍ ଜବର୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.