ଯୁବକଙ୍କ ମଧ୍ୟରେ ବ୍ୟାପୁଥିବା କରୋନାର B.1.617 ଭ୍ୟାରିଏଣ୍ଟ: ଆନ୍ଧ୍ର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗର ଅଧ୍ୟୟନରୁ ଜଣାପଡିଲା ତଥ୍ୟ

ଦେଶରେ କରୋନାର ଭୟାବହତା ଜାରି ରହିଛି । ଅନେକ ରାଜ୍ୟରେ କରୋନାର ଭୟଙ୍କର ଭ୍ୟାରିଏଣ୍ଟ ଦେଖାଯାଇଛି । ନିକଟରେ ଆନ୍ଧ୍ର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗର ଏକ ଅଧ୍ୟୟନରୁ ଜଣାପଡିଛି କୋଭିଡ-୧୯ର ସବୁଠାରୁ ଅଧିକ ସଂକ୍ରାମକ ଭ୍ୟାରିଏଣ୍ଟ ହେଉଛି B.1.617 ଏବଂ B.1, ଯାହା ଯୁବକଙ୍କ ମଧ୍ୟରେ ଦ୍ରୁତ ବେଗରେ ବ୍ୟାପୁଛି । ସେଲ ଆଣ୍ଡ ବାୟୋଲୋଜି ସେଣ୍ଟର ତରଫରୁ କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଆନ୍ଧ୍ରପଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ କରୋନା ଭାଇରସର ମିଳିଥିବା ସାମ୍ପୁଲକୁ ଏକତ୍ର କରାଯାଇଥିଲା ଯେଉଁଥିରେ B.1.617 ଏବଂ B.1 ଭ୍ୟାରିଏଣ୍ଟ ମିଳିଥିଲା ଯାହା ଅଧିକ ସଂକ୍ରାମକ । ଏହି ଦୁଇ ଭ୍ୟାରିଏଣ୍ଟ ବର୍ତ୍ତମାନ ସମୟରେ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି ।

ଆନ୍ଧ୍ରପଦେଶ କୋଭିଡ ନିର୍ଦ୍ଦେଶକ ଏବଂ ନିୟନ୍ତ୍ରଣ କେନ୍ଦ୍ରର ଅଧ୍ୟକ୍ଷ ଏସ ଜବାହାର ରେଡ୍ଡୀ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ୨୫ ଏପ୍ରିଲରେ କୋଭିଡ ୧୯କୁ ନେଇ ଜାରି କରିଥିବା ତାଜା ସୂଚନା ଅନୁଯାୟୀ କରୋନାର ବଢୁଥିବା ମାମଲାର ସମ୍ବନ୍ଧ B.1.617 ସହିତ ରହିଛି । ‘ହୁ’ ର ରିପୋର୍ଟରେ N440K ଭ୍ୟାରିଏଣ୍ଟ ବିଷୟରେ କୌଣସି ଉଲ୍ଲେଖ କରାଯାଇନାହିଁ ।

ହାଇଦ୍ରାବାଦ ସ୍ଥିତ  ସିସିଏମବି ତରଫରୁ ଏହି ସମ୍ବନ୍ଧରେ ଆନ୍ଧ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକ ରୁ ନମୁନା ସଂଗ୍ରହ କରାଯାଇ ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା । ଜବାହାର ରେଡ୍ଡୀ କହିଛନ୍ତି, ଅନୁସନ୍ଧାନରୁ ଏହା ଜଣାପଡିଲାକି କରୋନାର N440K ଭ୍ୟାରିଏଣ୍ଟ ବିଶେଷ ସଂକ୍ରାମକ ନୁହେଁ । ରାଜ୍ୟରେ କରୋନା ମାମଲା ଲଗାତାର ବଢିବାରେ ଳାଗିଛି ।

ଏପର୍ଯ୍ୟନ୍ତ ଦେଶରେ କରୋନା ମାମଲା ୨ କୋଟି ପାର କରିଛି ।  ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ ୪ ଲକ୍ଷ ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ବିଭିନ୍ନ ରାଜ୍ୟରେ କରୋନା ଯୋଗୁଁ ଲକଡାଉନ ମଧ୍ୟ ଲଗାଯାଇଛି । ଅନେକ ଲୋକ ଏବେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ କରୋନା ସହ ଲଢୁଛନ୍ତି ।