fbpx

ବରଗଡ ବିକାଶ ହସ୍ପିଟାଲରେ ଆଇସିୟୁ ଶଯ୍ୟା ଓ ୧୦୦ ଭେଣ୍ଟିଲେଟରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୭/୫(ଓଡିଶା ଭାସ୍କର) : ବରଗଡ ବିକାଶ ହସ୍ପିଟାଲରେ ଆଇସିୟୁ ଶଯ୍ୟା ଓ ୧୦୦ ଭେଣ୍ଟିଲେଟରର ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ଖର୍ଚ୍ଚ ହୋଇଛି ୧୧ କୋଟି ୫୦ ଲକ୍ଷ । ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ରଖି ଏହି ବେଡ୍ ଏବଂ ଭେଣ୍ଟିଲେଟର୍ ର ବ୍ୟବସ୍ଥା କରାଯାଇଛି । ଆଗାମୀ କିଛି ମାସ ପାଇଁ ବିକାଶ ହସ୍ପିଟାଲରେ ଗରିବଙ୍କ ପାଇଁ ଶସ୍ତାରେ ଚିକିତ୍ସା ସେବା ଯୋଗାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କରୋନାର ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ପ୍ରାଥମିକତା ଗୁୁରୁତ୍ୱ ଦେଇଛନ୍ତି ।

 

ସୁଚନା ଯେ, ପଶ୍ଚିମ ଓଡ଼ିଶାରେ କର୍ପୋରେଟ୍ ଅନୁଷ୍ଠାନ ଗୁଡିକ ପକ୍ଷରୁ ହସ୍ପିଟାଲରେ ବେଡ଼୍ ସଂଖ୍ୟା ବୃଦ୍ଧି କରାଯାଉଛି । ଏନଟିପିସି, ଏମସିଏଲ ଦ୍ୱାରା ରାଉରକେଲାରେ ୬୦୦ଟି ବେଡ୍, ସୁନ୍ଦରଗଡ଼ରେ ୫୦୦, ଝାରସୁଗୁଡ଼ାରେ ୧୫୦ ଓ ସମ୍ବଲପୁରରେ ୧୦୦ଟି ବେଡ୍ ସହ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ଭିତିଭୂମିର ବ୍ୟବସ୍ଥା କରାଯାଉଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ବରଗଡର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଇଣ୍ଡିଆନ ଅଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ(ସିଏସଆର) ପାଣ୍ଠିରୁ ୧୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଭେଂଟିଲେଟର ସହ ଆଇସିୟୁ ବେଡର କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆର୍ଚ୍ୟା, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟକା ଶ୍ରୀମତି ରିତା ସାହୁ ହସ୍ପିଟାଲ ଠାରେ ଉପସ୍ଥିତ ଥିଲେ । ଏହାସହ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମୁକ୍ତା ସାହୁ, ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଶ୍ରୀକାନ୍ତ ମାଧବ ବୈଦ୍ୟ, ଏସଇଆରପିଏଲ ଏକଜିକ୍ୟୁଟିଭ୍ ଡାରେକ୍ଟର ସଞ୍ଜୟ କୁମାର ଭି, ସିଜିଏମ ଏବଂ ଷ୍ଟେଟ୍ ହେଡ୍ ଶୁଭୋଜିତ ଘୋଷ, ବିକାଶ ଗ୍ରୁପର ଚେୟାରମ୍ୟାନ ଡ଼ି.ମୂରଲି କ୍ରୀଷ୍ଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Get real time updates directly on you device, subscribe now.