fbpx

ସରକାରଙ୍କ ବିରୋଧରେ ହାଇକୋର୍ଟ ପହଂଚିଲା ହ୍ୱାଟ୍ସଆପ୍‌, ନୂଆ ନିୟମରେ ଲୋକଙ୍କ ଗୋପନୀୟତା ବିପଦରେ ପଡିଯିବ !

ନୂଆଦିଲ୍ଲୀ : ଭାରତ ସରକାରଙ୍କ ନୂତନ ଆଇଟି ନିୟମ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲା ହ୍ୱାଟ୍ସଆପ୍ । ହ୍ୱାଟ୍ସଆପ ନିଜ ଅଭିଯୋଗରେ ସରକାରଙ୍କୁ ବୁଧବାରଠୁ ଜାରି ହେଉଥିବା ନିୟମକୁ ଲାଗୁ ନକରିବାକୁ ଦାବି କରିଛି। ନୂତନ ନିୟମରୁ ପଛକୁ ହଟିବାକୁ ଫେସବୁକର ମାଲିକାନାରେ ଥିବା ହ୍ୱାଟ୍ସଆପ ସରକାରଙ୍କୁ ଅନୁରୋଧ କରିଛି । କମ୍ପାନୀ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ କହିଛି ଯେ, ନୂତନ ନିୟମରେ ଭାରତର ସମ୍ବିଧାନ ଆଧାରରେ ନାଗରିକଙ୍କୁ ଦିଆଯାଇଥିବା ଗୋପନୀୟତାର ଅଧିକାର ଉଲ୍ଲଂଘନ ହେବ । ନୂତନ ନିୟମ ଅନୁଯାୟୀ, ସରକାର ଯେବେ ଦାବି କରନ୍ତି ତେବେ ସାମାଜିକ ଗଣ ମାଧ୍ୟମ କମ୍ପାନୀଙ୍କୁ କୌଣସି ସୂଚନାକୁ ସର୍ବ ପ୍ରଥମେ ସାମ୍ନାକୁ ଆଣିବାକୁ ପଡିଥାଏ ।

ଆଇନ ମୁତାବକ ହ୍ୱାଟ୍ସଆପକୁ କେବଳ ସେହି ଲୋକଙ୍କୁ ଚିହ୍ନଟ କରିବ, ଯାହା ଉପରେ ଭୁଲ ସୂଚନା ବା ଗୁଜବ ପ୍ରଚାର କରିବାର ବଳିଷ୍ଠ ଅଭିଯୋଗ ରହିଥିବ । କିନ୍ତୁ ହ୍ୱାଟ୍ସଆପ୍ ଏହା କରିବାକୁ ମନା କରି ଦେଇଛି । କମ୍ପାନୀ ଅନୁଯାୟୀ, ନିୟମ ପାଳନ କରିବାକୁ ହେଲେ ମେସେଜ ପ୍ରାପ୍ତ କରିଥିବା ବ୍ୟକ୍ତିଙ୍କ ପାଇଁ ଏବଂ ମେସେଜୁ ସର୍ବ ପ୍ରଥମେ ସେୟାର କରିଥିବା ଲୋକଙ୍କ ପାଇଁ ଏନକ୍ରିପସନ ବ୍ରେକ୍ କରିବାକୁ ପଡିବ । କାରଣ ମେସେଜ ଆଣ୍ଡ ଟୁ ଆଣ୍ଡ ଏନକ୍ରିଫ୍ଟ ଅର୍ଥାତ କୁଟ ଭାଷାରେ ରହିଥାଏ ।

ହ୍ୱାଟ୍ସଆପ୍ ଅନୁଯାୟୀ, ଟ୍ରେସେବିଲିଟିର ଅର୍ଥ କିଏ ସର୍ବ ପ୍ରଥମେ ମେସେଜ ସେୟାର କଲା । ଟ୍ରେସେବିଲିଟିରୁ ଆଣ୍ଡ ଟୁ ଆଣ୍ଡ ଏନକ୍ରିପସନ ବ୍ରେକ ହୋଇଥାଏ। ଏଥିରେ କୋଟି କୋଟି ଲୋକଙ୍କ ଗୋପନୀୟତା ବିପଦରେ ପଡିଥାଏ । ହ୍ୱାଟ୍ସଆପ୍ ୨୦୧୬ରେ ଆଣ୍ଡ ଟୁ ଆଣ୍ଡ ଏନକ୍ରିପସନ ଆରମ୍ଭ କରିଥିଲା । ଯଦ୍ୱାରା ଏହା ଜରିଆରେ କଲ୍‌, ମେସେଜ, ଫଟୋ, ଭିଡିଓ କେବଳ ସେହି ଲୋକଙ୍କୁ ମିଳିବ ଯାହାକୁ ସେ ପଠାଇଛନ୍ତି । ଏହା ଲିକ୍ ହୋଇ ପାରିବ ନାହିଁ । ହ୍ୱାଟ୍ସଆପ୍ ଦାବି କରିଛି ଯେ, ସେ ମଧ୍ୟ କାହାରି ମେସେଜ ପଢି ପାରିବ ନାହିଁ । ଏମିତି ବ୍ୟବସ୍ଥାରେ ଲୋକଙ୍କ ଗୋପନୀୟତା ସୁରକ୍ଷିତ ରହି ପାରିବ ବୋଲି ହ୍ୱାଟ୍ସଆପ୍ କହିଛି ।

ସମାଚାର ଏଜେନ୍ସି ରୟଟର୍ସ ଅନୁଯାୟୀ, ଏହା ସ୍ପଷ୍ଟ ହୋଇ ନାହିଁ ଯେ, କୋର୍ଟ ଏହି ଆବେଦନ ଉପରେ କେବେ ଶୁଣାଣି କରିବ । ମାମଲାର ସମ୍ବେଦନଶୀଳତାକୁ ଦେଖି କୌଣସି ପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । କିନ୍ତୁ ଏହି କେସ୍ ଭାରତ ସରକାରଙ୍କ ଫେସବୁକ, ଟୁଇଟର ସହିତ ଅନ୍ୟ ସାମାଜିକ ଗଣମାଧ୍ୟମ କମ୍ପାନୀ ସହ ଜାରି ମୁହାଁମୁହିଁ ସ୍ଥିତିକୁ ଆହୁରି ଜଟିଳ କରିପାରେ ।

Get real time updates directly on you device, subscribe now.