କୋଭିଡ ଡୋଜ୍ ଭାବି ୩୦୦ ଭାଇଲ ପିଲାଙ୍କ ଟିକା ଚୋରି

ମୁମ୍ବାଇ: ସ୍ୱାସ୍ଥ୍ୟକେନ୍ଦ୍ରରେ ପଶି ପିଲାଙ୍କ ପାଇଁ ଥିବା ୩୦୦ ଭାଇଲ ବିଭିନ୍ନ ଭ୍ୟାକ୍ସିନ ଚୋରି କଲେ ଦୁର୍ବୃତ୍ତ । ଏନେଇ ଅଜଣା ବ୍ୟକ୍ତିଙ୍କ ନାମରେ ମାମାଲା ରୁଜୁ କରିଛି ପୋଲିସ । ତେବେ କୋଭିଡ ଟିକା ବୋଲି ଭାବି ପିଲାଙ୍କ ପାଇଁ ଥିବା ଭ୍ୟାକ୍ସିନ ଚୋରି କରାଯାଇଥିବା ପୋଲିସ ଅନୁମାନ କରୁଛି । ନିର୍ଦ୍ଦିଷ୍ଟ ଭାବରେ କହିବାକୁ ଗଲେ ଦୁର୍ବୃତ୍ତମାନେ କୋଭିଶିଲ୍ଡ ଟିକା ଭାବିଥିବା ପୋଲିସ କହିଛି । କାରଣ ଚୋରି ଭ୍ୟାକ୍ସିନଗୁଡ଼ିକ ଉପରେ ସେରମ୍ ଇନଷ୍ଟିଚ୍ୟୁଟର ଲେବଲ୍ ଲାଗିଥିଲା । ଟିକା ସହ ସିସିଟିଭି କ୍ୟାମେରାର ରେକର୍ଡିଂ ବକ୍ସ ମଧ୍ୟ ଚୋରି ହୋଇଛି ।

ମୁମ୍ବାଇ ଉଲ୍ଲାସନଗର ପ୍ରାଥମିକ ଚିକିତ୍ସାଳୟରୁ ଏଭଳି ଚୋରି ଘଟଣା ସାମ୍ନାକୁ ଆସିଛି । ସକାଳେ   କର୍ମଚାରୀ କାମକୁ ଆସିବାବେଳେ ଚଟାଣରେ କାଚ ଗୁଣ୍ଡ ପଡ଼ିଥିଲା ଏବଂ ଭ୍ୟାକ୍ସିନ ରଖାଯାଉଥିବା ଫ୍ରିଜର ମଧ୍ୟ ଭଙ୍ଗାଯାଇଥିଲା । ଚୋରି ହୋଇଥିବା ଭାଇଲ ମଧ୍ୟରେ ୨୫ ଭାଇଲ ଆଣ୍ଟି ଟିବି ଭ୍ୟାକ୍ସିନ, କାଶ ପାଇଁ ଥିବା ୧୭ ଭାଇଲ, ୧୩ ଭାଇଲ ଟିଟାନସ, ୧୫ ଭାଇଲ ପୋଲିଓ ଭ୍ୟାକ୍ସିନ, ୩୦ ଭାଇଲ ରୁବେଲା ଭ୍ୟାକ୍ସିନ ଏବଂ ୨୭୦ ଭାଇଲ ରୋଟା ଭାଇରସ ଭ୍ୟାକ୍ସିନ ଥିବା କହିଛନ୍ତି କର୍ମଚାରୀ । ଚୋରମାନେ ବାଥରୁମ ଗ୍ରୀଲ ଭାଙ୍ଗି ଚିକିତ୍ସାଳୟ ଭିତରକୁ ପଶିଥିବା ଜଣାପଡ଼ିଛି ।

ଏମକେ ଖଣ୍ଡାରେ ହିଲ୍ ଲାଇନ ପୋଲିସ ଷ୍ଟେସନର ଥାନା ଅଧିକାରୀ କହିଛନ୍ତି ଯେ ଏଠାରେ କୋଭିଡ ଭ୍ୟାକ୍ସିନ ଦିଆଯିବା ନେଇ ସୂଚନା ରହିଛି ତେବେ ଚୋରମାନେ ପିଲାଙ୍କ ପାଇଁ ଥିବା ଭ୍ୟାକ୍ସିନକୁ କୋଭିଡ ଭ୍ୟାକ୍ସିନ ଭାବି ଚୋରି କରିଛନ୍ତି । ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଚଳାଇଛି ।