ଆତଙ୍କ ସୃଷ୍ଟି କରିବ କି କରୋନାର ନୂଆ ରୂପ ! ‘ଡେଲ୍ଟା ପ୍ଲସ’କୁ ନେଇ ଏପରି କହିଲେ ବୈଜ୍ଞାନିକ…

ନୂଆଦିଲ୍ଲୀ: କରୋନା ମହାମାରୀ ଲଗାତାର ଭାବେ ନିଜର ରୂପ ବଦଳାଇବାରେ ଲାଗିଛି । ଏବେ କରୋନାର ନୂଆ ଭାରିଏଣ୍ଟ ମିଳିଛି, ଯାହାର ନାଁ ‘ଡେଲ୍ଟା ପ୍ଲସ’ ବା ‘AY 1’ । ଏହି ଭାଇରସ୍ କରୋନାର ଡେଲ୍ଟା ଭାରିଏଣ୍ଟରୁ ହୋଇଛି, ଯେଉଁଥିରେ ଅଧିକ ମାତ୍ରାରେ ସଂକ୍ରମଣ ବଢିଥାଏ । ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି, କ’ଣ ଏହି ଭାରିଏଣ୍ଟ ପୁଣି ଥରେ ହଇଚଇ ସୃଷ୍ଟି କରିବ? ବୈଜ୍ଞାନିକମାନେ ଏହି ଭାଇରସକୁ ନେଇ ଅଧିକ ଭୟଭୀତ ନାହାନ୍ତି । ତାଙ୍କ କହିବା ମୁତାବକ, ଭାରତରେ ଏବେ ଏହାକୁ ନେଇ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଦେଶରେ ଏବେ ବି ଏହାର କମ୍ ମାମଲା ରହିଛି ।

ସିଏସଆଇଆର-ଆଇଜିଆଇବିର ନିର୍ଦ୍ଦେଶକ ଅଗ୍ରୱାଲ କହିଛନ୍ତି ଯେ, ‘ଏବେ ଭାଇରସର ଏହି ପ୍ରକାରକୁ ନେଇ ଭାରତରେ କୌଣସି ଚିନ୍ତାର କରିବାର ନାହିଁ । ଏହା ସହ ଟିକା ନେଇଥିବା ଲୋକଙ୍କ ରକ୍ତ ପ୍ଲାଜମାରୁ ଭାଇରସର ଏହି ଭାରିଏଣ୍ଟକୁ ପରୀକ୍ଷା କରିବାକୁ ପଡିବ । ଯେଉଁଥିରେ ଜଣାପଡିବ କି ଏହି ଭାଇରସ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରୁଛି ନା ନାହିଁ ।’