ପୁରୀ(ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜିଉମାନେ ସ୍ନାନବେଦିରୁ ଗଲା ପରେ ଅଣସର ପିଣ୍ଡିରେ ଦଇତାମାନେ ତାଙ୍କ ଶ୍ରୀମୁଖରେ ଲାଗିହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରିଥାନ୍ତି । କୋଠ ସୁଆଁସିଆମାନେ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ବେଢ଼ି ଦିଅନ୍ତି ଏବଂ ଧୁକୁଡ଼ି ଦ୍ୱାର ବାଟେ ଏକ ଚୋରା କବାଟ ରଖିଥାନ୍ତି ।
ଜଗମୋହନ ଏହି ବାଉଁଶ ତାଟିରେ ୨ ଭାଗରେ ବିଭକ୍ତ ହୋଇଯାଇଥାଏ । ଭିତର ପଟ ଭାଗରେ ଦାରୁ ବିଗ୍ରହ ରୁହନ୍ତି ଓ ବାହାର ଭାଗରେ ଏକ ଖଟ ରଖା ଯାଇଥାଏ। ଏହାପୂର୍ବରୁ ଚିତ୍ରକାର ଗୃହରୁ ୩ ପଟିଦିଅଁ ଯଥା ବାସୁଦେବ, ଭୁବନେଶ୍ୱରୀ ଏବଂ ନାରାୟଣ ପ୍ରମୁଖ ଘଣ୍ଟ, ଛତ୍ର, କାହାଳୀର ନାଦ ସହ ଆସି ଜୟ ବିଜୟ ଦ୍ୱାରରେ ରଖା ଯାଇଥାନ୍ତି । ମହାଜନ ସେବକ ଦକ୍ଷିଣଘରୁ ସାତ ମୂର୍ତ୍ତି ଯଥା ବାଡ଼ି ନୃସିଂହ, ରାମ କୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ଦୋଳଗୋବିନ୍ଦ, ମଦନମୋହନଙ୍କୁ ଉକ୍ତ ଖଟ ଉପରକୁ ବିଜେ କରାଯାଇଥାଏ । ଏହାପରେ ୩ ପଟି ଦିଅଁଙ୍କୁ ୩ ବାଡ଼ରେ ରୁନ୍ଧା ହୁଅନ୍ତି । ବଡ଼ବାଡ଼ରେ ବାସୁଦେବ ପଟି ପାଖରେ ରାମ କୃଷ୍ଣ, ବାଡ଼ି ନୃସିଂହ, ମଝି ବାଡ଼ରେ ଭୁବନେଶ୍ୱରୀ ପଟି ପାଖରେ ଶ୍ରୀଦେବୀ ଏବଂ ଭୂଦେବୀ, ମହାପ୍ରଭୁଙ୍କ ବାଡ଼ରେ ଦୋଳଗୋବିନ୍ଦ ଏବଂ ମଦନମୋହନ ବିଜେ କରିଥାନ୍ତି ।
ଦିଅଁମାନଙ୍କ ସାମନ୍ତ ପଞ୍ଚାମୃତ ସ୍ନାନ ବଢ଼ାଇଥାନ୍ତି ପୂଜାପଣ୍ଡା । ଏହି ଠାକୁରମାନଙ୍କୁ ବଲ୍ଲଭ ସର୍ପା ମଣୋହି କରାଯାଇଥାଏ ଏବଂ ସମସ୍ତ ଦୈନିକ ନୀତି ଓ ଭୋଗ ହୋଇଥାଏ । ଏହି ସମୟରେ ଅନ୍ୟଦିନ ପରି ଧୂପରେ ମଇଲମ ହୋଇନଥାଏ । ପଟି ଦିଅଁ ଏବଂ ସେଠାରେ ଥିବା ଚଳନ୍ତି ବିଗ୍ରହଙ୍କ ରାତ୍ର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସରରେ ଥିବା ଦାରୁଦିଅଁଙ୍କ ପାଖେ ଚକଟା ଭୋଗ ହୋଇଥାଏ । ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଏଭଳି ଅପାର ଲୀଳାରେ ଭକ୍ତ ବିଭୋର ହୋଇଥାଏ। ଶ୍ରୀକ୍ଷେତ୍ରରେ ଏମିତି ଚଳିଆସିଛି ଅନନ୍ୟ ପରମ୍ପରା ।