fbpx

ଓଡ଼ିଶାରେ କଡ଼ ଲେଉଟାଇବ କି କରୋନା, ଡେଲଟା ପ୍ଲସ ଓ ୯ଟି ଜିଲ୍ଲାର ସଂକ୍ରମଣ ରାଜ୍ୟ ପାଇଁ ସାଜିବ କାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମି ଆସୁଥିବା ବେଳେ ମୃତ୍ୟୁସଂଖ୍ୟାରେ ରୋକ୍ ଲାଗି ପାରିନଥିଲା । ତେବେ ଏଭଳି ସ୍ଥିତିରେ ସରକାର ଲକଡାଉନ କଟକଣାରେ ସାମାନ୍ୟ କୋହଳ କରିଦେଇଥିଲେ । ଆସନ୍ତା ମାସ ଠାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ହଟାଇବା ଆଶା କରାଯାଉଥିଲା । ମାତ୍ର ଏବେ ପରିସ୍ଥିତି ଭିନ୍ନ ହେଲା ପରି ଦୃଷ୍ଟିଗୋଚର ହେଉଛି । ନିକଟରେ ମହାରାଷ୍ଟ୍ର ସରକାର ଡେଲଟା ପ୍ଲସ୍ ଭାରିଆଣ୍ଟ ପାଇଁ ପୁଣି ଥରେ କଟକଣା ବୃଦ୍ଧି କରିଛନ୍ତି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଡେଲଟା ପ୍ଲସ୍ ପୁଣି ଆଶଙ୍କାକୁ ବଢ଼ାଇ ଦେଇଛି । ତେବେ ମହାରାଷ୍ଟ୍ର ପରି ଅବସ୍ଥା ଓଡ଼ିଶାରେ ଯେ ନ ହେବ, ତାହା କହିହେବ ନାହିଁ । ଡେଲଟା ପ୍ଲସ୍ ପାଇଁ ଯେ ତୃତୀୟ ଲହର ନ ଆସିବ, ତାହା ଅନୁମାନ କରିବା କଷ୍ଟକର ।

ରାଜ୍ୟରେ ଯଦିଓ ପୂର୍ବାପେକ୍ଷା ସଂକ୍ରମଣ ହ୍ରାସ ପାଇଛି, ତଥାପି ୯ଟି ଜିଲ୍ଲାରେ ଯେଉଁ ହାରରେ କମିବା କଥା ତାହା ହେଉନାହିଁ । ଫଳରେ ଏହା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ବର୍ତ୍ତମାନ ଖୋର୍ଦ୍ଧାର ସଂକ୍ରମଣ ହାର ୧୦.୧୩, କଟକର ୭.୮, ଯାଜପୁରର ୮.୫୪, ନୟାଗଡ଼ର ୧୧.୨, ପୁରୀର ୭.୯୭ ପ୍ରତିଶତ ଦେଖିବାକୁ ମିଳିଥିବାରୁ ଏହି ଜିଲ୍ଲାଗୁଡ଼ିକୁ ରେଡ୍ ଜୋନରେ ରଖାଯାଇଛି । ସେହିପରି ଜଗତସିଂହପୁରର ସଂକ୍ରମଣ ହାର ୭.୪, ମୟୂରଭଞ୍ଜର ୬.୬୯, ବାଲେଶ୍ୱରର ୬.୩, ଭଦ୍ରକର ୬.୩ ପ୍ରତିଶତ ରହିଛି । ଏହି ୯ଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ସେଠାରେ ଅଧିକ ରୋଗୀ ଦେଖିବାକୁ ମିଳୁଛି । ରାଜ୍ୟର ୨୧ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୫ ପ୍ରତିଶତ ତଳେ ରହିଛି । ଏଥିମଧ୍ୟରୁ ୫ ଜିଲ୍ଲାରେ ଦୈନିକ ସଂକ୍ରମଣ ୧%ରୁ କମ ଥିବାବେଳେ ୬ଟି ଜିଲ୍ଲାରେ ୧%ରୁ ୨% ମଧ୍ୟରେ ରହିଛି ।

ଅପରପେକ୍ଷ ଗତକାଲି ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଓଡ଼ିଶାରୁ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ୍ ରୋଗୀ ଦେବଗଡ଼ର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଓଡ଼ିଶାରୁ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହେବାର ଅର୍ଥ ହେଉଛି, ଏବେ ବି ରାଜ୍ୟରେ ଅନେକ ଲୋକ ସଂକ୍ରମିତ ଥାଇପାରନ୍ତି । ଫଳରେ ଆଗକୁ ଏହି ଭାରିଆଣ୍ଟ ବୃଦ୍ଧି ଯେ ନ ପାଇବ, ତାହା କିଏ କହିବ । ତେଣୁ ଏଥିପାଇଁ ସତର୍କତା ଅବଲମ୍ବନ କରିବା ନିହାତି ଦରକାର ।

Get real time updates directly on you device, subscribe now.