fbpx

କରୋନା ଭ୍ୟାକ୍ସିନ୍ ନେବାର ତିନି ଦିନ ପର୍ଯ୍ୟନ୍ତ ସେକ୍ସ ମନା, ଜାଣନ୍ତୁ କାହିଁକି ଏପରି କହିଲେ ଡାକ୍ତର

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଜନସାଧାରଣ ରହିଛନ୍ତି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଚାରିଆଡ଼େ ଏବେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି । ତେବେ ଟିକାକରଣ ପରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଦରକାର ସେ ନେଇ ବିଶେଷଜ୍ଞମାନେ ଅନେକ ପରାମର୍ଶ ଦେଇଛନ୍ତି । ଆସନ୍ତୁ ଜାଣିବା ସେ ବିଷୟରେ ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ରୁଷରେ କିଛି ଲୋକଙ୍କୁ ଟିକା ନେବା ପରେ ତିନି ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାକୁ ପରାମର୍ଶ ଦିଆଯାଇଛି । ସେରାଟୋବ ଅଞ୍ଚଳର ଉପସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଡେନିସ ଗ୍ରୋଫର ରୁଷ ଲୋକଙ୍କୁ ଟିକା ନେବା ପରେ ଅଧିକ ପରିଶ୍ରମଯୁକ୍ତ କାର୍ଯ୍ୟ ନ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଏହି କାର୍ଯ୍ୟଗୁଡ଼ିକ ମଧ୍ୟରେ ସେକ୍ସ ଅନ୍ତର୍ଭୁକ୍ତ ରହିଛି । ଏହା ପୂର୍ବରୁ ଲୋକଙ୍କୁ ଟିକା ନେବା ପରେ ମଦ୍ୟପାନ ଓ ସିଗାରେଟ୍ ସେବନଠାରୁ ଦୂରେଇ ରହିବାକୁ କୁହାଯାଇଥିଲା ।

ଜଣାପଡ଼ିଛି ଯେ, ରୁଷରେ ଟିକାକରଣ ହାର ବହୁତ କମ୍ ରହିଛି । ବର୍ତ୍ତମାନ ସୁଦ୍ଧା ସେ ଦେଶରେ ମାତ୍ର ୧୩ ପ୍ରତିଶ ଲୋକ ଭ୍ୟାକ୍ସିନର ଦୁଇଟିଯାକ ଡୋଜ୍ ନେଇଛନ୍ତି । ଡାକ୍ତର ଗ୍ରୋଫର କହିଛନ୍ତି ଯେ, ଶାରୀରିକ ସମ୍ପର୍କ ପାଇଁ ବହୁତ ଏନର୍ଜିର ଆବଶ୍ୟକ ହୋଇଥାଏ । ସେଥିପାଇଁ ଟିକା ନେବା ପରେ ଲୋକଙ୍କୁ ସେକ୍ସ ବା କୌଣସି ପ୍ରକାର ଶାରୀରିକ କାର୍ଯ୍ୟ କରିବାଠାରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି । ଡାକ୍ତର ଗ୍ରୋଫରଙ୍କ ଏହି ବୟାନକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଏହି ବୟାନ ଉପରେ ନିଜର ମତ ରଖି ଜଣେ ବରିଷ୍ଠ ମେଡିକାଲ ଅଧିକାରୀ କହିଛନ୍ତି ଯେ, ସେକ୍ସ କରିବା ପୂରା ବନ୍ଦ କରିବା ଅପେକ୍ଷା ସତର୍କତାର ସହ ଜାରି ରଖିପାରିବେ ।

ଭାରତରେ ଏବେ ସୁଦ୍ଧା ଟିକାକରଣ ପରେ ଏନେଇ କୌଣସି ଗାଇଡଲାଇନ୍ ଜାରି କରାଯାଇ ନାହିଁ । ୟୁନିସେଫ୍ ଦ୍ୱାରା ଟିକା ଲଗାଇବା ପରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ସାଇଡ୍ ଇଫେକ୍ଟ ଭୟ ରହିଥିବାରୁ ଭ୍ୟାକ୍ସିନ ନେବାର ୨-୩ ଦିନ ପର୍ଯ୍ୟନ୍ତ କଠିନ ପରିଶ୍ରମ ନ କରିବା ଭଲ । ଟିକା ନେବାର କିଛି ଦିନ ପର୍ଯ୍ୟନ୍ତ ଆଲକହଲ, ତମ୍ବାଖୁ ଆଦି ସେବନ କରିବା ଅନୁଚିତ୍ । ମଦ୍ୟପାନ ଓ ସିଗାରେଟ ସେବନ ଦ୍ୱାରା ସାଇଡ୍ ଇଫେକ୍ଟ ବୃଦ୍ଧି ପାଇବା ସହ ଇମ୍ୟୁନ ସିଷ୍ଟମ ଉପରେ କୁପ୍ରଭାବ ପକାଇଥାଏ ବୋଲି ୟୁନିସେଫ୍ ପକ୍ଷରୁ ମଧ୍ୟ କୁହାଯାଇଛି ।

ଟିକା ନେବା ପୂର୍ବରୁ ଓ ପରେ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ଜଳୀୟ ଅଂଶ ରହିବା ଭଲ । ତେଣୁ ଟିକା ନେବା ପରେ ପ୍ରଚୁର ଜଳପାନ କରିବା ଉଚିତ । ଟିକା ନେବା ପରେ ଶରୀରରେ ଦେଖାଯାଉଥିବା ହାତ ଯନ୍ତ୍ରଣା, ଥଣ୍ଡା ଲାଗିବା ଆଦି ଲକ୍ଷଣ ମାତ୍ର ଦୁଇ ତିନି ଦିନ ମଧ୍ୟରେ ଠିକ୍ ହୋଇଯାଇଥାଏ । ଟିକାର ଦୁଇଟି ଡୋଜ୍ ନେବାର କିଛି ସପ୍ତାହ ପରେ ଶରୀରେ ଇମ୍ୟୁନିଟି ତିଆରି ହୋଇଥାଏ, ତେଣୁ ଏ କ୍ଷେତ୍ରରେ ଅବହେଳା କରିବା ଅନୁଚିତ । କୌଣସି ଭ୍ୟାକ୍ସିନ ଶତ ପ୍ରତିଶତ କାର୍ଯ୍ୟ କରେ ନାହିଁ । ତେଣୁ ଟିକା ନେବା ପରେ ବାରମ୍ବାର ହାତ ଧୋଇବା, ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ । ଦିନକୁ ଦିନ ଯେଉଁଭଳି ଭାବରେ କରୋନାର ନୂଆ ନୂଆ ଭାରିଆଣ୍ଟ ଚିହ୍ନଟ ହେଉଛି, ସେଥିପାଇଁ ଭ୍ୟାକ୍ସିନ୍ ହିଁ ଏକମାତ୍ର ମୁଖ୍ୟ ଅସ୍ତ୍ର । ତେଣୁ ଟିକା ନେବାରେ ଜମାରୁ ଅବହେଳା ନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.