fbpx

ଅଭିମାନିନୀ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ଚକ

ପୁରୀ: ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଆସିଛନ୍ତି ଜଗତର ନାଥ ଜଗନ୍ନାଥ । ଜନ୍ମଵେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ବୁଧବାର ରାତି ପ୍ରାୟ ୧୦ଟାରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇଥିବାବେଳେ ଗୁରୁବାର ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ଚାଲୁ ରହିଛି। ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ଶୁକ୍ରବାର ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ କୋଭିଡ୍ କଟକଣା ମଧ୍ୟରେ ବରିଷ୍ଠ ନାଗରିକ ମାନଙ୍କୁ ଆଡପ ଦର୍ଶନର ସୁଯୋଗ ଦେବାପାଇଁ ବିଧାୟକ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସେପଟେ ଦକ୍ଷିଣମୋଡ଼ ପାଇଁ ବୈଷୟିକ କମିଟି ଦ୍ୱାରା ତିନିରଥକୁ ଯାଞ୍ଚ କରାଯାଇଛି।

ଆଡପମଣ୍ଡପରେ ବିଜେ ଚତୁର୍ଦ୍ଧାବିଗ୍ରହଙ୍କ ଚାଲିଛି ନୀତିକାନ୍ତି । ଆସନ୍ତାକାଲି ଷଷ୍ଠୀ ତିଥିରେ ଲକ୍ଷ୍ମୀ ସାଆନ୍ତାଣୀ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବା ପୂର୍ବରୁ ଆଜି ଦତ୍ତମହାପାତ୍ର ସେବାୟତ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି କରିଛନ୍ତି । ମଧ୍ୟାହ୍ନ ଧୂପ ସରିବାପରେ ଦତ୍ତମହାପାତ୍ର ସେବାୟତ ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଏହି ଗୁପ୍ତନୀତି କରିଥିଲେ। ଏହାପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବା ପରେ ଅନ୍ୟାନ୍ୟ ନୀତି ବଢିଥିଲା।

କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନାଭକ୍ତରେ ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲୁ ରହିଛି । କିନ୍ତୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଆଡପମଣ୍ଡପେ ବିଜେ ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ଦେବାକୁ ଆଜି ବିଧାୟକ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେପଟେ ଶୁକ୍ରବାର ହେରାପଞ୍ଚମୀ ନୀତିପରେ ଶନିବାର ଠାରୁ ବାହୁଡାଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। ତିନିରଥକୁ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରୁ ଦକ୍ଷିଣମୋଡ କରାଯାଇ ନାକଚଣା ଦୁଆରକୁ ନିଆଯିବ। ଏହା ପୂର୍ବରୁ ଆଜି ବୈଷୟିକ କମିଟି, ଭୋଇ, କମାର, ମହାରଣା ଓ ରେଳବାଇ କର୍ମଚାରୀଙ୍କ ଉପସ୍ଥିତିରେ ତିନିରଥକୁ ଯାଞ୍ଚ କରାଯାଇଛି। ଆସନ୍ତାକାଲି ହେରାପଞ୍ଚମୀରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିବାର ପରମ୍ପରା ରହିଛି।

Get real time updates directly on you device, subscribe now.