fbpx

ଆଜିଠୁ ଅଗଷ୍ଟ ୧ ଯାଏଁ ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌: ଗଡ଼ିବ ବସ୍, ଖୋଲିବ ପାର୍ଲର, ସ୍ପା ଓ ଜିମ୍‌, ପୂର୍ବ ଭଳି କାଟାଗୋରୀ-ବି’ରେ ଜାରି ରହିବ ସପ୍ତାହନ୍ତ ସଟ୍‌ଟାଉନ୍‌

ଭୁବନେଶ୍ୱର,(ଓଡ଼ିଶା ଭାସ୍କାର) : ରାଜ୍ୟରେ ପୁଣି ବଢ଼ିଛି ଆଂଶିକ ଲକଡାଉନ୍‌ ଅବଧି । ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି । ପୂର୍ବଭଳି ଜିଲ୍ଲାଗୁଡ଼ିକୁ ଦୁଇଟି କାଟାଗୋରୀରେ ରଖାଯାଇଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ କାଟେଗୋରୀ- ଏ’ରେ ୨୦ଟି ଓ କ୍ୟାଟେଗୋରୀ ବି’ରେ ୧୦ଟି ଜିଲ୍ଲା ରହିଛନ୍ତି । ପୂର୍ବଭଳି କାଟାଗୋରୀ-ଏ’ରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଜିଲ୍ଲା ଥିବା ବେଳେ କାଟାଗୋରୀ-ବି’ରେ ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲା ରହିଛି । ତେବେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସାରା ରାଜ୍ୟରେ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଛି।

ପୂର୍ବରୁ କେବଳ କ୍ୟାଟେଗୋରୀ-ଏ’ରେ ବସ୍‌ ଚାଲିବା ପାଇଁ ଅନୁମତି ମିଳିଥିଲା । କିନ୍ତୁ ଏବେ ସବୁ ଜିଲ୍ଲାରେ ବସ୍‌ ଗଡ଼ିବ । ବସ୍‌ରେ ଯେତିକି ସିଟ୍‌, ସେତିକି ଯାତ୍ରୀଙ୍କୁ ଯିବାକୁ ଅନୁମତି ମିଳିବ । ବସ୍‌ରେ ଛିଡ଼ା ହୋଇ ଯାତ୍ରୀ ଯାଇପାରିବେ ନାହିଁ । କେବଳ ପୁରୀ ଜିଲ୍ଲାରେ ବାହୁଡ଼ା ଯାତ୍ରା ଥିବାରୁ ଚଳିତ ମାସ ୨୫ ତାରିଖ ଯାଏ ବସ୍‌ ଚଳାଚଳ ବନ୍ଦ ରହିବ । ତେବେ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳ ହୋଇପାରିବ ନାହିଁ ବୋଲି ସୂଚନା ଦିଆଯାଇଛି ।

କାଟାଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ ସପ୍ତାହରେ ସାତଦିନ ସକାଳ ୬ରୁ ରାତି ୮ ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ କାଟାଗୋରୀବି’ରେ ସପ୍ତାହକୁ ୫ ଦିନ ସକାଳ ୬ରୁ ସଂନ୍ଧ୍ୟା ୫ ପର୍ଯ୍ୟନ୍ତ ଦୋକାନ ଖୋଲାଯାଇ ପାରିବ । କାଟାଗୋରୀ-ବି ଜିଲ୍ଲାରେ ଦୈନିକ ଓ ସାପ୍ତାହିକ ହାଟ ଖୋଲି ପାରିବନି । ପୂର୍ବଭଳି କାଟାଗୋରୀ-ବି’ରେ ଥିବା ୧୦ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ୍‌ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ତେବେ କାଟାଗୋରୀ-ବି’ ଜିଲ୍ଲାଗୁଡ଼ିକରେ ପୂର୍ବଭଳି ସଂନ୍ଧ୍ୟା ୫ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ରହିବ ବୋଲି ଘୋଷଣା କରାଯାଇଥିବା ବେଳେ କାଟାଗୋରୀ-ବି’ରେ ଥିବା ୧୦ ଜିଲ୍ଲାରେ ରାତି ୮ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ରହିବ ।

ସାରା ରାଜ୍ୟରେ ଏଣିକି ଟାକ୍ସି ଓ ଅଟୋ ରିକ୍ସା ଚଳାଚଳ କରିପାରିବ । ଏଥିରେ ଡ୍ରାଇଭର ବ୍ୟତୀତ କେବଳ ୨ ଜଣ ଯାତ୍ରୀ ଯାଇପାରିବେ । ସବୁ ଜିଲ୍ଲାରେ ଯେତିକି ସମୟ ଦୋକାନ ବଜାର ଖୋଲିବ, ସେହି ସମୟ ଭିତରେ ହିଁ ଗାଡ଼ି ଚଳାଚଳ କରିାରିବ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦୀର୍ଘଦିନ ଧରି ବନ୍ଦ ଥିବା ପାର୍ଲର, ସ୍ପା, ଜିମ୍‌, ସେଲୁନ୍‌ ମଧ୍ୟ ଶୁକ୍ରବାରଠାରୁ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଛୋଟ ସେଲୁନକୁ ପୂର୍ବରୁ ଅନୁମତି ମିଳିଥିବା ବେଳେ ଏବେ ବଡ ସେଲୁନକୁ ମଧ୍ୟ ଅନୁମତି ମିଳିଛି ।

ଏହାବ୍ୟତୀତ ଆଉଟ୍‌ ଡୋର୍‌ ସ୍ପୋର୍ଟସ୍‌ ପାଇଁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ସେହି ସେଠାକୁ ଦର୍ଶକଙ୍କୁ ଅନୁମତି ମିଳି ନାହିଁ । ରାଜ୍ୟ ସରକାର ସାରା ରାଜ୍ୟରେ ଇନଡୋର୍‌ ଓ ଆଉଟ୍‌ ଡୋର୍‌ ଫିଲ୍ମ ଶୁଟିଂକୁ ଅନୁମତି ଦେଇଛନ୍ତି । କିନ୍ତୁ ପୂର୍ବଭଳି ପାର୍କ, ଶପିଂ ମଲ୍‌, ସିନେମା ହଲ୍‌, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ । ବିବାହ କାର୍ଯ୍ୟକ୍ରମ, ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଯେଉଁ କଟକଣା ଥିଲା ତାହା ଜାରି ରହିବ । ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ । ଏହି ସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ ।

ସ୍କୁଲ୍‌, କଲେଜ୍‌, କୋଚିଂ ସେଣ୍ଟର ଗୁଡ଼ିକ ପୂର୍ବଭଳି ବନ୍ଦ ରହିବ । ରାଜ୍ୟରେ ବାର୍‌ ଖୋଲିବାକୁ ଅନୁମତି ମିଳିବ ନାହିଁ । ହେଲେ ରେଷ୍ଟୁରାଣ୍ଟ ଖୋଲିବ । କିନ୍ତୁ ରେଷ୍ଟୁରାଣ୍ଟରେ ବସି ଖାଇହେବ ନାହିଁ । ରେଷ୍ଟୁରାଣ୍ଟ ଓ ଉଠା ଦେକାନୀ କେବଳ ଖାଦ୍ୟ ପାର୍ସଲ୍‌ ଦେଇପାରିବେ ।

ରାଜ୍ୟରେ ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ୍‌ ଯୋଗାଣ, ଟେଲିକମ୍‌, ଅଗ୍ନିଶମ ସେବା, ଅନ୍ୟାନ୍ୟ ମୌଳିକ ଏବଂ ଜରୁରୀକାଳୀନ ସେବା ଆଦି ପୂର୍ବରି ଚାଲୁ ରହିବ । ବିଭିନ୍ନ ପ୍ରକାର ଦ୍ରବ୍ୟର ହୋମ୍‌ ଡେଲିଭରି, ଇ-କମର୍ସ, ସମ୍ବାଦ ସଂଗ୍ରହ ଓ ପରିବେଷଣ କାର୍ଯ୍ୟରେ ନିୟୋଜିତ ଗଣମାଧ୍ୟମ, ପେଟ୍ରୋଲ୍‌ ପମ୍ପ୍‌, ପେଟ୍ରୋଲିୟମ୍‌ ଗ୍ୟାସ୍‌, କୋଲ୍ଡ ଷ୍ଟୋର, କଲ୍‌ ସେଣ୍ଟର, ଡାଟା ସେଣ୍ଟର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କାର୍ଯ୍ୟାଳୟ ଆଦି ଜାରି ରହିବ । ବ୍ୟାଙ୍କ, ଏଟିଏମ୍‌, ଋଣ ସମବାୟ ସମିତି ଆଦି ଖୋଲା ରହିବ । ତେବେ ଏହି ସବୁ କାର୍ଯ୍ୟାଳୟ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଚାଲିବ । ଅନ୍ୟମାନେ ‘ୱାର୍କ ଫ୍ରମ୍‌ ହୋମ୍‌’ ବ୍ୟବସ୍ଥାରେ କାମ କରିବେ । କୋଭିଡ୍‌ ନିର୍ଦ୍ଦେଶାବଳୀ ଅନୁପାଳ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ । ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଜାରିରଖିବେ ।

ମିଠା ଦୋକାନୀ, ଠେଲାଗାଡ଼ି ଓ ଉଠାଦୋକାନୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟବସାୟ କରିପାରିବେ । ତେବେ ଗ୍ରାହକମାନେ କେବଳ ଖାଦ୍ୟ କିଣି ଘରକୁ ନେଇପାରିବେ । କେହି ଦୋକାନରେ ବସି କିମ୍ବା ସେଠାରେ ଠିଆ ହୋଇ ଖାଇପାରିବେ ନାହିଁ । କଟକଣା କୋହଳ ସମୟରେ ଦୋକାନ ଗୁଡ଼ିକ ମଧ୍ୟରେ ନିର୍ଦ୍ଧାରିତ ଦୂରତା ବଜାୟ ରଖିବା, ଦୋକାନରେ ଭିଡ଼ ନ ହେବା ଆଦିକୁ ସଂପୃକ୍ତ ଦୋକାନୀ ଓ ବଜାର କମିଟି ନିଶ୍ଚିତ କରାଇବେ । ନିୟମ ଖିଲାପ କଲେ ଦୋକାନୀ ଓ ବଜାର କମିଟି ଦାୟୀ ରହିବେ । ଉଭୟ ଦୋକାନୀ ଓ ଗ୍ରାହକ ଉପଯୁକ୍ତ ବ୍ୟବଧାନ ରଖିବେ ଓ ଠିକ୍‌ ଭାବେ ମାସ୍କ ପିନ୍ଧିବେ ।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ କରୋନା ସଂକ୍ରମଣ ହାର କମିଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ । ତେଣୁ ରାଜ୍ୟ ସରକାର କଟକଣା ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ରାଜ୍ୟରେ ପ୍ରତି ୧୦୦ ଜଣରେ ୫ଜଣରୁ ଊଦ୍ଧ୍ୱର୍ ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ୧୦୦ ଜଣରେ ୩ ଜଣ ପଜିଟିଭ ବାହାରୁଛନ୍ତି ବୋଲି ସେ କହିଛନ୍ତି । କରୋନା ପ୍ରତିରୋଧ ନିମନ୍ତେ ପରୀକ୍ଷା, ଟ୍ରାକିଂ, ଚିକିତ୍ସା, ଟିକାକରଣ ଏବଂ କୋଭିଡ଼୍‌ ନିୟମ ଅନୁପାଳନ ଆଦି ୫-ସୂତ୍ରୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଂଘନ କରାଯିବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି । ନିୟମ ଅନୁାଳନ ଏବଂ ଦୈନନ୍ଦିନ ଜିବୀକା ସହ କରୋନା ବିରୋଧି ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି ।

ଲକଡାଉନ୍‌ ଏବଂ ସଟ୍‌ ଡାଉନ୍‌ ଆଦିରେ ଜନସାଧାରଣ ସହଯୋଗ କରିଥିବାରୁ ରାଜ୍ୟରେ ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଉଥିଲେ ମଧ୍ୟ ବିଦ ଟଳି ନାହିଁ । ସମସ୍ତେ ସଚେତନ ହୋଇ କୋଭିଡ୍‌ ନିୟମ ଅନୁାଳନ ସହ ନିଜର ଦୈନନ୍ଦିନ ଜିବୀକା ନିର୍ବାହ କାର୍ଯ୍ୟ କଲେ ସ୍ଥିତି ଅଧିକରୁ ଅଧିକ ସୁଧୁରିବ । ମୁଖ୍ୟମନ୍ତ୍ରୀ କରିଥିବା ନିବେଦନ ଅନୁସାରେ ସମସ୍ତେ କୋଭିଡ୍‌ ନିୟମ ଅନୁାଳନ କରି କରୋନାକୁ ପୂର୍ଣ୍ଣ ନିୟନ୍ତ୍ରଣାଧୀନ କରିବା ପାଇଁ ଶ୍ରୀ ମହାପାତ୍ର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.