fbpx

କାଳିଆ ବାହୁଡ଼ିଲେ, ଇନ୍ଦ୍ର ଢାଳିଲେ, ବଡ଼ଦାଣ୍ଡରେ ସେବାୟତ-ପ୍ରଶାସକ ଏକାଠି ହେଲେ

ପୁରୀ(ଓଡ଼ିଶା ଭାସ୍କର): ଭାବର ଠାକୁର ସେ ଭାବ ବିନୋଦିଆ । ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର ବିକଳ୍ପ ନାହିଁ । ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ନିକଟରେ ସେଇ ଭକ୍ତି ଓ ସମର୍ପଣ ଭାବ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ରଥ ମାଉସୀମା’ ମନ୍ଦିର ନିକଟରେ ପହଞ୍ଚି ସାରିଥାଏ । ହଠାତ ମାଡ଼ିଆସିଲା ବର୍ଷା । ତେବେ ସେ ବର୍ଷାକୁ ଖାତିରନକରି ସେବାୟତମାନେ ଯେପରି ରଥ ଟାଣିନେଉଥାନ୍ତି, ମୁଖ୍ୟ ପ୍ରଶାସକ ମଧ୍ୟ ମୁଣ୍ଡରେ ଗାମୁଛା ଓ ମୁହଁରେ ମାସ୍କ ବାନ୍ଧି ବଡ଼ଦାଣ୍ଡରେ ରଥ ଆଗେ ଆଗେ ଖାଲି ପାଦରେ ଚାଲିଥାନ୍ତି । ରଥଯାତ୍ରାରେ ଶୃଙ୍ଖଳିତ ରୀତିନୀତି ତାଙ୍କ ଦାୟିତ୍ୱ । ତେଣୁ ବିନା କୌଣସି ବିଘ୍ନରେ କେମିତି ଏ ନବଦିନାତ୍ମକ ଯାତ୍ର ସମାପନ ହେବ ସେଥିପାଇଁ ମୁଖ୍ୟ ପ୍ରଶାସକ ମହାପ୍ରଭୁଙ୍କ ନିକଟରେ ନିଜକୁ ପୂର୍ଣ୍ଣ ସମର୍ପଣ କରିଦେଇଥିଲେ ।

ବର୍ଷା ଯୋଗୁ ରଥଟଣା କାଳେ ବିଳମ୍ବ ହେବ କିମ୍ବା କାଳେ କୌଣସି ବିଘ୍ନ ଘଟିବ, ସେଥିପାଇଁ ମୁଖ୍ୟ ପ୍ରଶାସକ ବିଚଳିତ ହୋଇପଡ଼ିଥିଲେ । ହେଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ସୁରୁଖୁରରେ ହେଇଗଲା । ଜଣେ ପ୍ରଶାସକଙ୍କ ନିକଟରେ ଏଭଳି ଭାବ କେବେ ଦେଖିବାକୁ ମିଳିନଥିଲା । ଢୁ ଢୁ ବର୍ଷାକୁ ଖାତିର ନକରି ବଡ଼ଦାଣ୍ଡରେ ବିଶ୍ୱନିଅନ୍ତାଙ୍କ ନିକଟରେ ନିଜକୁ ସମର୍ପି ଦେଇଥିଲେ କ୍ରିଷନ କୁମାର । ବୋଧହୁଏ ତାଙ୍କର ଏଇ ଭକ୍ତି ଭାବ ଓ ସମର୍ପଣ ପାଇଁ ଗତ ଦୁଇବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲେ ବି କୌଣସି ବିଘ୍ନ ଘଟିନି । ମହାପ୍ରଭୁ ବି ନିଜ ଭକ୍ତର ଭାବାବେଗକୁ ବୁଝିଛନ୍ତି । ରଥଯାତ୍ରାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ସବୁ ନୀତିକାନ୍ତି ଶୃଙ୍ଖଳିତ ଓ ନିର୍ଦ୍ଧରିତ ସମୟ ପୂର୍ବରୁ ଶେଷ ହୋଇଛି । ଏମିତିବି ଜଣେ ପ୍ରଶାସକ ହୋଇବି ସେ ସେବାୟତଙ୍କ ସହ ମିଶି ବଡ଼ଦାଣ୍ଡରେ ଗୀତଗୋବିନ୍ଦ ଗାନ କରିବା ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତିଭାବର ପରିଚୟ । ସେହିଭଳି ସେବାୟତଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସେମାନଙ୍କ ସୁଖଦୁଃଖର ସାଥୀ ହୋଇଥିବାରୁ ସେବାୟତମାନେ ବି ତାଙ୍କୁ ସବୁକ୍ଷେତ୍ରରେ ସହଯୋଗ କରିଥାନ୍ତି ।

Get real time updates directly on you device, subscribe now.