fbpx

ନାଗକୁ ଛକିଲା ବିଲେଇ, ମାଲିକ ଘରକୁ ଛାଡ଼ିଲାନି ବାଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଷା ବିଲେଇ ଶୁଝିଲା ମାଲିକର ଋଣ । ଘର ଭିତରକୁ ପଶିବାକୁ ଦେଲାନି ନାଗ ସାପକୁ । ସାପ କରୁଥାଏ ଫଁ ଫଁ ଆଉ ବିଲେଇ ବି ରଡୁଥାଏ ନିଶ ଫୁଲେଇ । ଦୀର୍ଘ ସମୟ ଏମିତି ଲାଗି ରହିଲା ଛକା-ଛକି ଯୁଦ୍ଧ । ସାପର ଭୟ ସାପକୁ, ବିଲେଇର ଭୟ ବିଲେଇକୁ । ୪ ଫୁଟର ଲମ୍ବା ନାଗ ସାପର ସଁ ସଁରେ ଟିକେ ପଛକୁ ହଟିଲାନି ବିଲେଇ । ସ୍ନେକ୍ ହେଲ୍ପ ସଦସ୍ୟ ଆସିବା ପର୍ଯ୍ୟନ୍ତ ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀର ଭୀମଟାଙ୍ଗି ଅଞ୍ଚଳର ଏକ ଘର ପରିସରରେ ।

ଭୀମଟାଙ୍ଗିରେ ରହୁଥିବା ସମ୍ପଦ କୁମାର ପରିଡ଼ାଙ୍କ ଘର ଭିତରକୁ ଏକ ୪ ଫୁଟ ଲମ୍ବର ନାଗ ସାପ ପଶିବା ପାଇଁ ଚେଷ୍ଟା କଲା ବେଳେ ତାଙ୍କ ପୋଷା ବିଲେଇ ବାଟ ଛାଡ଼ିଲା ନାହିଁ । ନାଗଟି ବାଟ ଭାଙ୍ଗି ଅଲଗା ବାଟରେ ଯିବାକୁ ଉଦ୍ୟତ ହେଲା ବେଳକୁ ବିଲେଇ ତାର ସମ୍ମୁଖକୁ ଯାଇ ବାଟ ଓଗାଳିଲା । ସାପ ଆଉ ବିଲେଇ ଲଢ଼େଇକୁ ଦେଖି ସମ୍ପଦ ବାବୁ ଭୟ ପାଇଗଲେ । ଏଣେ ବିଲେଇକୁ ନାଗ ସାପ କାମୁଡ଼ିଲେ ତାର ମଧ୍ୟ ଜୀବନ ଯାଇପାରେ, ଏଣୁ ସମ୍ପଦ ବାବୁ ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର କରିବା ପାଇଁ ଅନୁରୋଧ କଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ପହଞ୍ଚିବା ବେଳକୁ ନାଗ ଫଣା ଟେକି ଠିଆ ହୋଇଥିବା ବେଳେ ବିଲେଇ ମଧ୍ୟ ତା ଦେହକୁ ଫୁଲେଇ ଠିଆ ହୋଇଥିଲା । ଉଭୟେ ପରସ୍ପରକୁ ଛକି ରହିଥିଲେ । ପ୍ରାୟ ୩୦ ମିନିଟ କାଳ ନାଗ ଓ ବିଲେଇ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା ।

ଅରୁଣ କାଳବିଳମ୍ବ ନକରି ବିଲେଇକୁ ଆଡ଼େଇ ଦେଇ ନାଗ ସାପର ଲାଙ୍ଗୁଳକୁ ନିଜ ସ୍ନେକ ହୁକ୍ରେ ଟେକି ଦୂରକୁ ନେଇ ଯାଇଥିଲେ । ତା ପରେ ନାଗକୁ ବ୍ୟାଗରେ ପୂରେଇ ସହର ବାହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ । ଏଣେ ପୋଷା ବିଲେଇ ବିଷଧର ନାଗ ସହ ଲଢ଼ି ଘର ଭିତରକୁ ବାଟ ଛାଡ଼ି ନଦେଇ ପରିବାର ଲୋକଙ୍କ ଜୀବନ ବଞ୍ଚେଇଲା । ଏଥିପାଇଁ ସମ୍ପଦ ବାବୁଙ୍କ ଘରଲୋକେ ପୋଷା ବିଲେଇ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିବାକୁ ଭୁଲିନଥିଲେ ।

Get real time updates directly on you device, subscribe now.