fbpx

ଭଉଣୀ ଜଗିଛି ଭାଇକୁ ବାନ୍ଧିବ ରାଖୀ, ମା’ ଆଖିରୁ ଗଡୁଛି ଲୁହଧାର, ହେଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସୱରି ସବୁଦିନ ବାଡ଼ି ବଗିଚାରୁ ଫୁଲଟିଏ ଆଣି ଭାଇର ପ୍ରତିମୂର୍ତ୍ତିରେ ରଖିଦିଅନ୍ତି । ମନର କୋହକୁ ଛାତିରେ ଚାପି ରଖି, ଚାହିଁ ରୁହନ୍ତି ଭାଇ ମୁହଁକୁ । ଏଇ ବରଷ ସେ ଭାଇକୁ ରାଖୀ ବାନ୍ଧି ପାରିବେନି। ତା ଭାଇ ଆଉ ଫେରିବନି । ସେ କହିଥିଲେ ତୁ ନର୍ସିଂ ପାଠପଢ଼ି ଚାକିରି କଲେ ତୋ ପଇସାରେ ମୁଁ ଗୋଟେ ବଡ଼ ଫୋନ୍ କିଣିବି । ସୱରି କାନ୍ଦି କାନ୍ଦି କହିଛନ୍ତି ଏମିତି । ବଖାଣିଛନ୍ତି କେମତି ଭାଇ ତାଙ୍କୁ ସ୍ନେହ ଦେଇ ପାଠ ପଢ଼ିବାକୁ ପ୍ରେରଣା ଦେଇଥିଲେ । ଠିକ୍ ସେହିପରି ପୁଅ କଥା ପଚାରିଲେ, ହସ ହସ ମା’ ଚେହେରା ଆଖିରେ ବୋହିଆସେ ଲୁହଧାର, ସେ କହେ ପୁଅ ମୋର ଭଲ ପିଲା ଥିଲା ।

ଇଏ ହେଉଛି ରାଜ୍ୟର “ସ୍ପେସାଲ୍ ଅପରେସନ୍ ଗ୍ରୁପ୍’ (ଏସଓଜି) ସହିଦ୍ କମାଣ୍ଡୋ ସୁଧୀର କୁମାର ଟୁଡୁଙ୍କ ପରିବାରର ଦୁଃଖ କାହାଣୀ ।

ସହଜ ନଥିଲା ସହିଦ୍ କମାଣ୍ଡୋ ସୁଧୀର କୁମାର ଟୁଡୁଙ୍କ ପାଇଁ ଜୀବନର ଯନ୍ତ୍ରଣା ଆଉ ସଂଘର୍ଷକୁ ସହ୍ୟ କରି ସୈନିକଟିଏ ହେବା । ୧୯୯୨ ଏପ୍ରିଲ ୧୩ରେ ପିତା କୁଣ୍ଡିଆ ଟୁଡୁ ଓ ମାତା ଯାଉନା ଟୁଡୁଙ୍କ ପ୍ରଥମ ସନ୍ତାନ ଭାବେ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡ଼ା-ସାନଭଦୁଆରେ ଜନ୍ମଗ୍ରହଣ କରିଥିଲେ ସୁଧୀର । ଆର୍ôଥକ ସ୍ଥିତି ଭଲନଥିଲେ ମଧ୍ୟ ସୁଧୀର ପ୍ରଥମେ ପାଖ ଗାଁ “ଝାଡ଼ିଅଡ଼ା ପ୍ରାଥମିକ ବିଦ୍ୟାଳୟ’ରୁ ପଞ୍ଚମ ଶ୍ରେଣୀ ଓ ପରେ ରାସଗୋବିନ୍ଦପୁର ବ୍ଲକ “ନଳଗଜା ଆଶ୍ରମ ସ୍କୁଲ୍’ରୁ ୨୦୦୭ର ୧୦ମ ପାସ କରିଥିଲେ । ହେଲେ ଘରର ଅସୁବିଧା ଯୋଗୁଁ ସେହି ବର୍ଷ ଉଚ୍ଚ ଶିକ୍ଷା ନିମନ୍ତେ କେଉଁଠି ମଧ୍ୟ ଆଡମିସନ୍ ହୋଇପାରିନଥିଲେ । ୨୦୦୮ରେ ବାରିପଦା ନିକଟରେ ଥିବା “ଲିଟିଲ୍ ଫ୍ଲାୱାର ଆଇଟିଆଇ’ରେ ଇଲେକ୍ଟ୍ରିସିଆନ ଟ୍ରେଡ୍ ନେଇ ୨୦୧୦ରେ ଉତ୍ତୀର୍ଣ୍ଣ ହୋଇଥିଲେ ସୁଧୀର । ପାସ୍ ହେବା ପରେ ଚାକିରି ସୁଯୋଗ ନପାଇବାରୁ ବାଧ୍ୟ ହୋଇ ୨୦୧୦ ବାରିପଦା “ମହାରାଜା ପୁର୍ଣ୍ଣଚନ୍ଦ୍ର ଜୁନିଅର କଲେଜ’ରେ ଯୁକ୍ତଦୁଇ କଳାରେ ଭର୍ତ୍ତି ହୋଇଥିଲେ । ପୁଣି ଯୁକ୍ତ ୩ କଳାରେ ସେଠାରେ ହିଁ ପଢ଼ିଥିଲେ । ଅନ୍ୟପକ୍ଷରେ ପିଲାଟି ଦିନରୁ ସୁଧୀରଙ୍କ ଖେଳକୁଦ ପ୍ରତି ରୁଚି ରହିଥିବା ବେଳେ କଲେଜରେ ପଢ଼ିବା ସମୟରେ ଭାରତୀୟ ସେନାରେ ଯୋଗଦେବା ପାଇଁ ୨ଥର ଚେଷ୍ଟା କରି ଅସଫଳ ହୋଇଥିଲେ । ହେଲେ ମନୋବଳ ନଭାଙ୍ଗି ୨୦୧୩ରେ କୋରାପୁଟଠାରେ ପରୀକ୍ଷା ଦେଇ “ଇଣ୍ଡିଆନ ରିଜର୍ଭ ବାଟାଲିୟନ “(ଆଇଆରବି)ରେ ଯବାନ ଭାବେ ମନୋନୀତ ହୋଇଥିଲେ । ଭର୍ତ୍ତି ହେବାର ଅଳ୍ପଦିନ ପରେ ତାଙ୍କୁ ବାରିପଦା ନିକଟସ୍ଥ ରଙ୍ଗାମାଟିଆଠାରେ ଥିବା “୫ମ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ଆରକ୍ଷୀ ବାହିନୀ’କୁ ଟ୍ରେନିଂ ପାଇଁ ପଠାଇ ଦିଆଯାଇଥିଲା । ଟ୍ରେନିଂ ସରିବା ପରେ ସେ କୋରାପୁଟ ଠାରେ ଆଇଆରବି ଯବାନ୍ ଭାବେ ମାଓବାଦୀ ଦମନ କାର୍ଯ୍ୟରେ ନିୟୋଜିତ ଥିଲେ । ଶୃଙ୍ଖଳିତ ଓ ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟ ପାଇଁ ୨୦୧୭ରେ ସୁଧୀରଙ୍କୁ ରାଜ୍ୟର “ସ୍ପେସାଲ ଅପରେସନ ଗ୍ରୁପ୍’ ବା ଏସଓଜିକୁ କିଛିଦିନ ପାଇଁ ବଦଳି କରାଯାଇଥିଲା ।

ତେବେ କଳାହାଣ୍ଡି ଠାରେ ନକ୍ସଲ ଦମନ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ୨୦୧୭ରେ ସୁଧୀର ନିଜ ପିତାଙ୍କୁ ହରାଇଥିଲେ । କିନ୍ତୁ ଚାକିରିରୁ ଘରକୁ ଆସିବାର ସୁବିଧା ନଥିବା ଯୋଗୁଁ ସୁଧୀର ଜ୍ୟେଷ୍ଠ ପୁତ୍ର ହୋଇ ମଧ୍ୟ ପିତାଙ୍କ ଅନ୍ତେଷ୍ଟି କାର୍ଯ୍ୟରେ ଯୋଗ ଦେଇପାରିନଥିଲେ । ସୁଧୀରଙ୍କ ପରିବାର କହିଲେ ମା’ ଯାଉନା ଟୁଡୁ, ସାନଭାଇ ସୁନାରାମ ଟୁଡୁ, ସୁନାରାମଙ୍କ ସ୍ତ୍ରୀ ବିନିତା ସୋରେନ, ସୁନାରାମଙ୍କ ଝିଅ ମିତାଲି, କକା ଭଦ୍ରାନନ୍ଦ, ଖୁଡ଼ି ଲକ୍ଷ୍ମୀମଣି ଓ କକାଙ୍କ ଝିଅ ସାଁୱରୀ ଟୁଡୁ । ଗରିବ ଓ କଷ୍ଟ ମଧ୍ୟରେ ଜୀବନ କାଟିଥିବା ସୁଧୀର ପରିବାର ଆର୍ôଥକ ସ୍ଥିତି ବିକାଶ କରିବା ପାଇଁ ଅନେକ ସପ୍ନ ଦେଖିଥିଲେ । ସାନ ଭାଇର ପାଠପଢ଼ା ଭଲ ନଥିବା ଯୋଗୁଁ ତାଙ୍କ ପାଇଁ ଏକ ପାସେଞ୍ଜର ବୋହିବା ଛୋଟଗାଡ଼ି କିଣି ଦେଇଥିଲେ । ଏପରିକି ମା’ ସ୍ୱାସ୍ଥ୍ୟଗତ ଦୁର୍ବଳ ଥିବା ଯୋଗୁଁ ସାନଭାଇ ସୁନାରାମଙ୍କ ବିବାହ ମଧ୍ୟ ଶୀଘ୍ର କରାଇଦେଇଥିଲେ । ଏହାସହ କକାଙ୍କ ଝିଅ ସାଁୱରୀର ଗ୍ରାଜୁଏସନ ସରିବା ପରେ ନର୍ସିଂରେ ତାଙ୍କୁ ଭର୍ତ୍ତି କରାଇଥିଲେ ।

କିନ୍ତୁ ସବୁକିଛି ଯେ ହଠାତ୍ ବଦଳିଯିବ, ନିୟତି ନିର୍ଦ୍ଧାରିତ କିଛି ଅଲଗା, ଏକଥା କିଏ ଜାଣିଥିଲା । ୨୦୨୦ ମସିହା ସେପ୍େଟମ୍ବର ମାସ ୯ ତାରିଖ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସିକ୍ରି ଘଞ୍ଚ ଜଙ୍ଗଲରେ ମାଓବାଦୀ ଦଳର ଉପସ୍ଥିତି ଖବର ପାଇ ଅଳ୍ପ ସଂଖ୍ୟକ ଏସଓଜି କମାଣ୍ଡୋ ବାହିନୀ ସେଠାକୁ ଦୌଡ଼ିଥିଲେ । ଚିତ୍ରା ଗ୍ରାମ ନିକଟସ୍ଥ ପାହାଡ଼ ନିକଟରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଦୀର୍ଘ ସମୟ ଧରି ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ/ପ୍ରତି ଆକ୍ରମଣ ଜାରି ରହିଥିଲା । ମାଓବାଦୀଙ୍କ ଆକ୍ରମଣକୁ ବୀରତ୍ୱର ସହ ଜବାବ ଦେଇଥିଲେ ସୁଧୀର । ନିଜ ଜୀବନକୁ ବିପନ୍ନ କରି ଆକ୍ରମଣକୁ ପ୍ରତିହତ କରିବା ସହ ସେମାନଙ୍କୁ ଛତ୍ରଭଙ୍ଗ ହେବାକୁ ବାଧ୍ୟ କରାଇଥିଲେ । ହେଲେ ଏହି ଲଢ଼େଇରେ କମାଣ୍ଡୋ ସୁଧୀର କୁମାର ଟୁଡୁ ପ୍ରାଣ ଉତ୍ସର୍ଗ କରିଥିଲେ । ପରିବାର ପାଇଁ କଷ୍ଟକର ଥିଲା ଏହି ଖବର ଗ୍ରହଣ କରିବା । ଗାଁରେ ଆସି ପହଞ୍ଚିଲା ସହିଦ୍ କମାଣ୍ଡୋ ସୁଧୀର କୁମାର ଟୁଡୁଙ୍କ ପାର୍ôଥବ ଶରୀର । ଛାତିକୁ ପଥର କରି ସମସ୍ତେ ପଞ୍ଚଭୂତରେ ବିଦାୟ ଦେଲେ ଏହି ବୀର ସହିଦଙ୍କୁ ।

ଦେଶପାଇଁ ଏହି ମହାନ ବଳିଦାନ ଆଉ ତ୍ୟାଗ ଦେଇଥିବା ଏହି ପରିବାରର ପ୍ରତିଟି ସଦସ୍ୟ ଆମ ଚିର ନମସ୍ୟ । ଆସନ୍ତା ୧୫ ଅଗଷ୍ଟରେ ‘ଓଡ଼ିଶା ଭାସ୍କର’ ସମ୍ମାନିତ କରିବ ଏହି ବରପୁତ୍ର ପରିବାରକୁ ‘ମା ତୁଝେ ସଲାମ’ କାର୍ଯ୍ୟକ୍ରମ ଜରିଆରେ । ସହିଦ୍ କମାଣ୍ଡୋ ସୁଧୀର କୁମାର ଟୁଡୁ ସର୍ବଦା ଅମର ରହିବେ ଆମ ସ୍ମୃତିରେ । ଜୟ ହିନ୍ଦ୍ । ବନ୍ଦେ ମାତରଂ । ବନ୍ଦେ ଉତ୍କଳ ଜନନୀ ।

Get real time updates directly on you device, subscribe now.