fbpx

ଆଇପିଏଲ-୧୪ ଦ୍ୱିତୀୟ ଭାଗ: ମିଳିଲା ସବୁଜ ସଙ୍କେତ, ଖେଳିବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟର୍‌

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)କ୍ରିକେଟର ଦ୍ୱିତୀୟ ଭାଗରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟରଙ୍କ ଯୋଗଦାନ ନେଇ ଅନିଶ୍ଚିତତା ଲାଗି ରହିଥିଲା । କାରଣ ଏହି ଦୁଇ ଦେଶର କ୍ରିକେଟ ବୋର୍ଡ ଖେଳାଳିଙ୍କୁ ଅନୁମତି ଦେବନାହିଁ ବୋଲି ପୂର୍ବରୁ ସୂଚନା ମିଳିଥିଲା । ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହି ପ୍ରସଙ୍ଗ ନେଇ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟ ବୋର୍ଡ ସହିତ ଯୋଗାଯୋଗ ଜାରି ରଖିଥିବା ବେଳେ ଆଜି ଉଭୟ ଦେଶର କ୍ରିକେଟ ବୋର୍ଡ ସବୁଜ ସଙ୍କେତ ଦେଇଛନ୍ତି ।

ତେଣୁ ଆଇପିଏଲର ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ଅନୁବନ୍ଧିତ ହୋଇଥିବା ଏହି ଦୁଇ ଦେଶର ଖେଳାଳି ମାନେ ନିଶ୍ଚିତ ଉପଲବ୍ଧ ହେବେ ବୋଲି ଆଇପିଏଲ ଚିଫ ଅପରେଟିଂ ଅଫିସର ହେମାଙ୍ଗ ଅମିନ ସମସ୍ତ ଫ୍ରାଞ୍ଚାଇଜକୁ ଅବଗତ କରାଇଛନ୍ତି । ତେବେ ଆଇପିଏଲର ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ଚୁକ୍ତିବଦ୍ଧ ହୋଇଥିବା ଖେଳାଳି ମାନେ ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳିବା ନେଇ ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ବିସିସିଆଇକୁ ସୂଚନା ଦେଇଛନ୍ତି । ଆଇପିଏଲ ଚିଫ୍‌ ଅପରେଟିଂ ଅଫିସର ହେମାଙ୍ଗ ଅମିନ କହିଛନ୍ତି ଯେ ଏହି ଦୁଇ ଦେଶର କ୍ରିକେଟ ବୋର୍ଡ ସେମାନଙ୍କ ଖେଳାଳିଙ୍କୁ ଆଇପିଏଲର ଦ୍ୱିତୀୟ ଭାଗରେ ପ୍ରତିନିଧିତ୍ୱ କରିବା ପାଇଁ ଅନୁମତି ଦେଇଥିବା ସମ୍ପର୍କରେ ଅବଗତ କରା ଯାଇଛି । ଏଣିକି ସମସ୍ତ ଫ୍ରାଞ୍ଚାଇଜ ଉଭୟ ଦେଶର ସଂପୃକ୍ତ ଖେଳାଳିଙ୍କ ସହିତ ଯୋଗାଯୋଗ କରିବା ଉଚିତ ।

ସୂଚନା ଯୋଗ୍ୟ ଯେ ଇଂଲଣ୍ଡର ୧୪ ଓ ଅଷ୍ଟ୍ରେଲିଆର ୨୦ ଖେଳାଳି ଆଇପିଏଲର ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ଖେଳୁଛନ୍ତି । ପଞ୍ଜାବ କିଙ୍ଗସ୍‌ ପାଇଁ ଖେଳୁଥିବା ଅଷ୍ଟ୍ରେଲିଆର ରିଲେ ମେରେଡିଥ ,ମୋଇସେସ୍‌ ହେନରିକ ଓ ଜେ ରିଚାର୍ଡସନ ଓ ଇଂଲଣ୍ଡର କ୍ରିସ୍‌ ଜୋର୍ଡାନ ଓ ଡେଭିଡ ମାଲାନ ଆଇପିଏଲ ପାଇଁ ଉପଲବ୍ଧ ହେବା ନେଇ ସେମାନଙ୍କ ତୁରନ୍ତ ଯୋଗଯୋଗ କରାଯିବ ବୋଲି ପଞ୍ଜାବ ଦଳର ମୁଖ୍ୟ କାର୍ଯ୍ୟ ନିର୍ବାହୀ କହିଛନ୍ତି । ସେହିରି ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିବା ନିଶ୍ଚିତ ବୋଲି ସୂଚାଇ ଦେଇଛନ୍ତି । ଇଂଲଣ୍ଡର ଜାସୋନ ରୟ ଓ ଜନ୍ନି ବେୟାରଷ୍ଟୋ ମଧ୍ୟ ଏହି ଫ୍ରାଞ୍ଚାଇଜ ପାଇଁ ଖେଳୁଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ ,ମାର୍କସ ଷ୍ଟୋନିସ ନିଶ୍ଚିତ ଯୋଗଦେବେ ବୋଲି ମଧ୍ୟ କହିଛନ୍ତି । ଏହା ବ୍ୟତିତ ଏହି ଦୁଇ ଦେଶର ଖେଳାଳି ଅନ୍ୟ ସମସ୍ତ ଫ୍ରାଞ୍ଚାଇଜ ପକ୍ଷରୁ ଖେଳୁଥିବା ବେଳେ ସେମାନଙ୍କ ସହିତ ଯୋଗଯୋଗ ଚାଲିଛି । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଆଇପିଏଳ ଖେଳିବା ପାଇଁ ସମସ୍ତ କ୍ରିକେଟରଙ୍କୁ ସବୁଜ ସଙ୍କେତ ଦେଇ ସାରିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ଆସନ୍ତା ସେପ୍ଟେମ୍ବର ମାସରେ ପାକିସ୍ତାନ ଗସ୍ତ କରି ସୀମିତ ଓଭୀ ସିରିଜ ଖେଳିବା କାର୍ଯ୍ୟକ୍ରମ ଥିବା ବେଳେ ଆଇପିଏଲ ଯୋଗୁ ସେମାନଙ୍କର ଦ୍ୱିତୀୟ ଗ୍ରେଡ ଦଳ ପଠାଇବେ ବୋଲି ବିଚାର ବିମଷ କରୁଛନ୍ତି । କାରଣ ଉଭୟ ଦେଶର ପ୍ରମୁଖ ଖେଳାଳି ସେହି ସମୟରେ ଆଇପିଏଲରେ ବ୍ୟସ୍ତ ରହିବେ ।

Get real time updates directly on you device, subscribe now.