ପ୍ୟାରିସ୍: ଦୁନିଆଟା ଯେତେ ବଡ଼ ସେତିକି ରହସ୍ୟମୟୀ ମଧ୍ୟ । ଏଠାରେ ଅନେକ ଭୟାନକ ତଥା ଆଶ୍ଚର୍ଯ୍ୟ କରିବା ପରି ସ୍ଥାନ ରହିଛି । ସେଥିମଧ୍ୟରୁ ଏକ ସ୍ଥାନ ସମ୍ପର୍କରେ ଆଜି ଆମେ ଜାଣିବା । ଏହି ସ୍ଥାନକୁ ଭୟର ଅନ୍ୟ ନାମ ବୋଲି ମଧ୍ୟ କୁହାଯାଇଥାଏ । ଏହି ସ୍ଥାନର ନାମ ହେଉଛି “ଫ୍ରେଞ୍ଚ କାଟାକୋମ୍ବସ୍” । ପ୍ୟାରିସ୍ ରେ ରହିଛି ଏହି ଭୟଙ୍କର ସ୍ଥାନ । ଯେଉଁଥିରେ କେବଳ କଙ୍କାଳ ହିଁ ରହିଛି । ଏଠାରେ ୬୦ ଲକ୍ଷ ମୃତଦେହକୁ ରଖାଯାଇଛି । ବର୍ତ୍ତମାନ ଏହି ସ୍ଥାନ କଙ୍କାଳରେ ଭର୍ତ୍ତି ହୋଇରହିଛି ।
ପ୍ୟାରିସ୍ କାଟାକୋମ୍ବସ୍ ର ଇତିହାସ ଅଷ୍ଟାଦଶ ଶତାବ୍ଦୀର ଶେଷରେ ଆରମ୍ଭ ହୋଇଥିଲା । ଏହା ଏକ ଏପରି ସମୟ ଥିଲା ଯେତେବେଳେ ସହରରେ ମୃତକ ମାନଙ୍କୁ କବର ଦେବା ପାଇଁ ସ୍ଥାନ ମଧ୍ୟ ନଥିଲା । ୧୭୮୫ ମସିହାରେ, ଏଠାରେ ଏତେ ସଂଖ୍ୟକ ମୃତ୍ୟୁ ଘଟିଥିଲା ଯେ ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ କବର ଦିଆଯାଇପାରିବ ନାହିଁ । ତେଣୁ ଏହି ସ୍ଥାନକୁ ଚୟନ କରାଯାଇଥିଲା ମୃତ ଦେହ ଗୁଡ଼ିକୁ ରଖିବା ପାଇଁ । ଏମିତିକି ପୋତିବା ପାଇଁ ବି ସ୍ଥାନ ନଥିଲା ୧୭୮୫ ମସିହାରେ ।
ପରିସ୍ଥିତି ଏପରି ହେଲା ଯେ ଲଗାତାର ବର୍ଷାରେ ମୃତଦେହ କବର ସ୍ଥାନରୁ ବାହାରି ରାସ୍ତାରେ ଆସି ପଡ଼ୁଥିଲା। ଏଭଳି ପରିସ୍ଥିତିରେ, ମୃତଦେହକୁ ଏକ ଟନେଲରେ ରଖିବା ଆରମ୍ଭ କରିଦେଇଥିଲେ ଲୋକେ । ଶବଗୁଡ଼ିକୁ ଅନ୍ୟ ସ୍ଥାନରୁ ଆଣି ସମାନ କବରରେ ଭରିବା ଆରମ୍ଭ କଲେ । ଆଉ ଦେଖୁ ଦେଖୁ ଏକାବେଳରେ ୬୦ ଲକ୍ଷ ମୃତ ଦେହ ଜମା ହୋଇଗଲା । ଏହି ସ୍ଥାନରେ ମୃତ ଦେହ ଗୁଡ଼ିକର ହାଡ଼ ଏବଂ ଖପୁରୀ ଗୁଡ଼ିକୁ ଦ୍ୱାରା ୨.୨ କିମି ପର୍ଯ୍ୟନ୍ତ କାନ୍ଥ ଗୁଡ଼ିକୁ କରାଯାଇଛି । ପ୍ୟାରିସ୍ ର ଭୂମିଠାରୁ ୨୦ କିମି ଗଭୀରରେ ଅବସ୍ଥିତ ଏହି ଭୟାନକ ସ୍ଥାନକୁ ମୃତ ଦେହର ଗୋଦାମ ବୋଲି ଲୋକେ କହିବାକୁ ଲାଗିଲେ ।
ଏହି ସ୍ଥାନ ବର୍ତ୍ତମାନ ପର୍ୟ୍ୟଟନ ସ୍ଥଳରେ ପରିଣତ ହୋଇଛି । ପ୍ରତିବର୍ଷ ଅନେକ ପର୍ୟ୍ୟଟକ ଏଠାକୁ ଆସନ୍ତି । ମୃତକଙ୍କ ହାଡ ଏବଂ ଖପୁରୀରେ ନିର୍ମିତ ପ୍ରାୟ ୨.୨ କିଲୋମିଟର କାନ୍ଥର ମଧ୍ୟଭାଗରେ ଚାଲିବା ସମୟରେ ଲୋମ ଟାଙ୍କୁରୀ ଉଠେ । ଏତେ ଭୟ ଭିତରେ ବି ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି । ତେବେ ପର୍ୟ୍ୟଟକଙ୍କ ପାଇଁ ଏହି ସମଗ୍ର ଟନେଲ ଆଜି ମଧ୍ୟ ଖୋଲାଯାଇ ନାହିଁ ବୋଲି କୁହାଯାଉଛି। ୮୦୦ ହେକ୍ଟରରୁ ଅଧିକ ବ୍ୟାପିଥିବା ଏହି ଟନେଲର କିଛି ଅଂଶ ଲୋକମାନଙ୍କ ପାଇଁ ବୁଲିବା ପାଇଁ ଛଡ଼ାଯାଇଛି । ଆହୁରି ମଧ୍ୟ, କେବଳ ବୟସ୍କମାନେ ଏହି ସ୍ଥାନ ପରିଦର୍ଶନ କରିପାରିବେ । ଏକ ଆକଳନ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ପର୍ୟ୍ୟଟକ ଏଠାକୁ ଆସନ୍ତି।