fbpx

AAPରେ ସାମିଲ ହେଲେ କି ସୋନୁ ସୁଦ୍? ଜାଣନ୍ତୁ କ’ଣ ଉତ୍ତର ଦେଲେ ଅଭିନେତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି ଚର୍ଚ୍ଚିତ ଅଭିନେତା ସୋନୁ ସୁଦ । ଏହି ସାକ୍ଷାତ ପରେ ଆଜି ମୁଖ୍ୟମନ୍ତ୍ରୀ ଓ ସୋନୁ ସୁଦ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ଯେ, ‘ସୋନୁ ଆପ୍ ସରକାରଙ୍କ ବ୍ରାଣ୍ଡ ଆମ୍ବାସାଡର ହେବାକୁ ରାଜି ହୋଇଛନ୍ତି । ସରକାର ଖୁବଶୀଘ୍ର ‘ଦେଶର ମେଣ୍ଟର୍ସ’ କାର୍ଯ୍ୟକ୍ରମ ଆରମ୍ଭ କରିବ । ଏହି କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ହେବେ ସୋନୁ ସୁଦ । ଏଥିପାଇଁ ମୁ୍ଁ ସୋନୁଙ୍କୁ ଧନ୍ୟବାଦ ଦେଉଛି । ଆଜି ସେ ସମୟ ବାହାର କରି ମୋତେ ଭେଟିଥିଲେ । ସମଗ୍ର ଦେଶ ପାଇଁ ସୋନୁ ବଡ଼ ପ୍ରେରଣା ପାଲଟିଛନ୍ତି ।’

ତେବେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ସୋନୁ ସୁଦଙ୍କ ସହ ଆଲୋଚନା ହୋଇଛି ବୋଲି ପଚରାଯାଇଥିଲା । ଏହାର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ମନା କରିଥିଲେ । ଅନ୍ୟପଟେ ସୋନୁ ସୁଦ୍ କହିଥିଲେ ଯେ, ‘କିଛି ବି ରାଜନୈତିକ ନୁହେଁ । ରାଜନୀତି ଅପେକ୍ଷା ପିଲାଙ୍କ ଭବିଷ୍ୟତ ଏକ ବଡ଼ ପ୍ରସଙ୍ଗ । ଦୀର୍ଘ ସମୟ ଧରି ରାଜନୀତିରେ ଯୋଗ ଦେବାକୁ ମୋତେ ସୁଯୋଗ ମିଳିଛି, କିନ୍ତୁ ମୁଁ ଆଗ୍ରହୀ ନୁହେଁ କି ମୋର କୌଣସି ଉଦ୍ଦେଶ୍ୟ ମଧ୍ୟ ନାହିଁ ।’

ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରରେ ସାରାଦେଶର ଅଲଗା ଅଲଗା ଅଞ୍ଚଳରେ ରହୁଥିବା ଲୋକଙ୍କୁ ସାହାର୍ଯ୍ୟ କରି ସୋନୁ ଚର୍ଚ୍ଚାକୁ ଆସିଥିଲେ । ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ସୋନୁ ଏକ ଟିମ୍ ପ୍ରସ୍ତୁତ କରିଛନ୍ତି, ଯେଉଁମାନେ ଖବର ମିଳିବା ମାତ୍ରେ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି । କରୋନା ସଂକ୍ରମଣ ସମୟରେ ଫସିରହିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିଥିଲେ ସୋନୁ । ଏହା ସହିତ ଅଭାବୀ ଲୋକଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ମଧ୍ୟ କରିଆସୁଛନ୍ତି ।

Get real time updates directly on you device, subscribe now.