fbpx

ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ସିରିଜ ବିଜୟ ଲକ୍ଷ୍ୟରେ ଉଭୟ ଦଳ, ଟିମ୍ ଇଣ୍ଡିଆର ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଉପରେ ନଜର

ଲଣ୍ଡନ: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ କ୍ରିକେଟ ମ୍ୟାଚ ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇ ଥିବାରୁ ସିରିଜ ବିଜୟ ପାଇଁ ଚତୁର୍ଥ ଟେଷ୍ଟ ଫଳାଫଳ ବିଶେଷ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ତେବେ ଚଳିତ ସିରିଜରେ ଭାରତର ମଧ୍ୟମପନ୍ଥୀ ବ୍ୟାଟ୍ସମ୍ୟାନଙ୍କ ବିଫଳତା ବଡ ଚିନ୍ତାର କାରଣ ପାଲଟିଛି । ମୁଖ୍ୟତଃ ଅଧିନାୟକ କୋହଲିଙ୍କ ସହିତ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଇଂଲଣ୍ଡ ବୋଲରଙ୍କୁ ମୁକାବିଲା କରିପାରୁ ନାହାନ୍ତି । ଏହି ସିରିଜରେ ଏମାନଙ୍କର ବଡ ସଫଳତା ହେଲା ଗୋଟିଏ ଲେଖାଏଁ ଅର୍ଦ୍ଧଶତକ ହାସଲ । ନଚେତ ପୂର୍ବରୁ ଅନୁଷ୍ଠିତ ହୋଇ ଯାଇଥିବା ତିନି ଟେଷ୍ଟର ଅନ୍ୟ ପାଞ୍ଚ ଇନିଂସରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ପେସ୍‌ ବୋଲରଙ୍କ ସଫଳତାକୁ ଆଧାର କରି ଭାରତ ଲର୍ଡ୍ସ ଟେଷ୍ଟରେ ବିଜୟୀ ହୋଇ ଆତ୍ମା ସନ୍ତୋଷ ଲାଭ କରିଥିବା ବେଳେ କୌଣସି ମ୍ୟାଚରେ ବ୍ୟାଟିଂ ଆଶାନୁରୂହୋଇ ପାରି ନାହିଁ । ତେଣୁ ଚରମ ବ୍ୟାଟିଂ ବିଫଳତା ଯୋଗୁ ଭାରତ ତୃତୀୟ ଟେଷ୍ଟରେ ଲଜ୍ଜା ଜନକ ଇନିଂସ ପରାଜୟ ସ୍ୱକାର କଲା । ଏହି ବିଫଳତାକୁ ନେଇ କୋହଲି ସମ୍ପୂର୍ଣ୍ଣ ଅବିଚଳିତ ହୋଇ ପଡିଛନ୍ତି । କାରଣ ତାଙ୍କୁ ବିଭିନ୍ନ ଦିଗରୁ ସମାଲୋଚିତ ହେବାକୁ ପଡୁଛି । ଦଳର ବ୍ୟାଟିଂ ମେରୁଦଣ୍ଡ କୁହା ଯାଉଥିବା ଏହି ତିନି ବ୍ୟାଟ୍ସମ୍ୟାନଙ୍କୁ ପୁଣି କବଜା କରିବା ପାଇଁ ଇଂଲଣ୍ଡ ଦଳ ସ୍ୱତନ୍ତ୍ର ରଣନୀତି ପ୍ରୟୋଗ କରିବା ଲକ୍ଷ୍ୟରେ ଅଛନ୍ତି । କୋହଲି ନିଜେ ସମ୍ପୂର୍ଣ୍ଣ ଫେଲ୍‌ ମାରିବା ଯୋଗୁ ଅନ୍ୟ ବ୍ୟାଟ୍ସମ୍ୟାନ ମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ଏହା ସହିତ ବ୍ୟାଟିଂରେ ସନ୍ତୁଳନ ରହୁନି । ତିନି ଟେଷ୍ଟରେ ଲଗାତର ଶତକ ଅର୍ଜନ କରି ଭାରତୀୟ ବୋଲରଙ୍କ ପାଇଁ ସମସ୍ୟା ସୃଷ୍ଟି କରି ଆସୁଥିବା ଇଂଲଣ୍ଡ ଦଳ ଅଧିନାୟକ ଜୋ ରୁଟ୍‌ ଭାରତୀୟ ଦଳର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ କବଜା କରିବା ଯୋଜନାକୁ କୋହଲି,ପୂଜାରା ଓ ରାହାଣେ କିପରି ମୁକାବିଲା କରିବେ ତାହା ଅପେକ୍ଷାର ବିଷୟ ।

Get real time updates directly on you device, subscribe now.