fbpx

ପ୍ରେମକୁ କେନ୍ଦ୍ରକରି ଉତ୍ତେଜନା: ଯୁବକଙ୍କ ସହ ବାପା ଓ ଭିଣୋଇକୁ ମରଣାନ୍ତକ ଆକ୍ରମଣ କଲେ ପ୍ରେମିିକାଙ୍କ ପରିବାରଲୋକ

ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍‌): ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ଗ୍ରାମପଂଚାୟତ ବଡଥାକନ ଗ୍ରାମରେ ଏକ ପ୍ରେମୀ ଯୁଗଳଙ୍କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଯୁବତୀର ପରିବାର ଆତ୍ମୀୟ ସ୍ୱଜନ ପ୍ରେମୀକକୁ ଧରି ଲହୁ ଲୁହାଣ କରିଥିବାର ଅଭିଯୋଗ ହୋଇଛି । ଏଥିରେ ୩ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି ।

ସୂଚନା ମୁତାବିକ, ସରପଡା ଗ୍ରାମପଂଚାୟତ ବଡଥାକନ ଗ୍ରାମର ଶରତ ପୁହାଣଙ୍କ ପୁତ୍ର ପୁୁନା ପୁହାଣଙ୍କର ସ୍ଥାନୀୟ ଗ୍ରାମର ଭିନ୍ନ ଜାତିର ଜନୈକା ଯୁବତୀ ସହ ଦୀର୍ଘ ୩ ବର୍ଷ ହେଲା ପ୍ରେମ ସମ୍ପର୍କ ରହି ଥିଲା । ଶୁକ୍ରବାର ଦିନ ସମ୍ପୃକ୍ତା ଯୁବତୀ ଜଣକ ଗଣେଶ ପୂଜା ଅବସରରେ ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏକ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ନିଜ ସାଇକେଲ ରଖି ଯୁବକ ଜଣଙ୍କ ସହ ଫେରାର ହୋଇଯାଇଥିଲେ । ତେବେ ଯୁବତୀଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ପ୍ରାୟ ୩୦ ଜଣରୁ ଉର୍ଦ୍ଧ ସଙ୍ଘବଦ୍ଧ ହୋଇ ଶୁକ୍ରବାର ରାତ୍ରର ବିଳମ୍ବିତ ପ୍ରହରରେ ଯୁବକଙ୍କ ଘର ଉପରେ ଆକ୍ରମଣ କରିଥିଲେ । ସମ୍ପୃକ୍ତ ବ୍ୟକ୍ତିମାନେ ଯୁବକଙ୍କ ପିତା ଶରତ ପୁହାଣ ଓ ତାଙ୍କର ଭିଣୋଇ ମାହାଙ୍ଗା ଥାନା ଉମର ଗ୍ରାମର କିଶୋର ବେହେରା ଓରଫ ପପୁଙ୍କୁ ଧରି ନେଇଥିଲେ । ଶ୍ୱଶୁର ଜ୍ୱାଇଁଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଉଭୟ ପ୍ରେମିକ ପ୍ରେମିକା ମାହାଙ୍ଗା ଥାନା ତ୍ରିବେଣୀଶ୍ୱର ଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିବାର ଖବର ପାଇଥିଲେ । ତେବେ ଆକ୍ରମଣକାରୀ ଉଭୟ ଶ୍ୱଶୂର ଜ୍ୱାଇଁଙ୍କୁ ୨ଟି ଗାଡିରେ ବସାଇ ନେଇ ତ୍ରିବେଣୀଶ୍ୱର ଯାଇଥିଲେ । ତ୍ରିବେଣୀଶ୍ୱରର ଜନୈକ ବ୍ୟକ୍ତିଙ୍କ ଘରୁ ଉଭୟ ପ୍ରେମୀ ଯୁଗଳଙ୍କୁ ଧରି ପୃଥକ ପୃଥକ ଭାବେ ୨ଟି ଗାଡିରେ ଆଣିଥିଲେ । ତେବେ ଯୁବତୀଙ୍କୁ ନିଜ ଘରକୁ ନେଇଯାଇଥିଲା ବେଳେ ପ୍ରେମିକକୁ ଅତ୍ୟନ୍ତ ଅମାନୁଷିକ ଭାବେ ମାଡମାରି ଆହାତ କରିଥିଲେ । ସ୍ଥାନୀୟ ଲୋକେ ଆହାତ ପ୍ରେମିକ ପୁୁନା ,ଶରତ ଓ କିଶୋରକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ତେବେ ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଏ ସମ୍ପର୍କରେ ଆମ ପ୍ରତିନିଧି ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଶ୍ରୀମତୀ ଚିନ୍ମୟୀ ସାହୁଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ କିଛି ଜାଣି ନାହାନ୍ତି କିମ୍ବା ଥାନାରେ ଏସମ୍ପର୍କରେ କୌଣସି ଅଭିଯୋଗ କରାଯାଇ ନଥିବାର ପ୍ରକାଶ କରିଥିଲେ ।

Get real time updates directly on you device, subscribe now.