fbpx

ଗୁପ୍ତଧନ ପାଇଁ ମହିଳା ତାନ୍ତ୍ରିକ ସହ ମିଶି ପତ୍ନୀକୁ ବଳି ଦେବାର ଯୋଜନା କରୁଥିଲା ସ୍ୱାମୀ, ବାନ୍ଧିନେଲା ପୋଲିସ

ଜାଫରାବାଦ: ଯୁଗ ଯେତେ ଆଗକୁ ଗଲେ ବି ଆଜି ବି ଅନ୍ଧବିଶ୍ୱାସ ଓ ବଳି ପ୍ରଥା ଚାଲିଆସିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ଜାଳନା ଜିଲ୍ଲା ଜାଫରାବାଦ ତହସିଲରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ବଳି ଦେବାର ଉଦ୍ୟମ କରୁଥିବାର ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳା ତାନ୍ତ୍ରିକ, ଜଣେ ବ୍ୟକ୍ତି ଓ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ପୋଲିସ କହିଛି ଯେ, ସ୍ୱାମୀର ବିଶ୍ୱାସ ଏପରି କରିବା ଦ୍ୱାରା କିଛି ଗୁପ୍ତଧନ ମିଳିବ ।

ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀ ସନ୍ତୋଷ ପିମ୍ପଲ, ଜବୀନ ପିମ୍ପଲ ଓ ମହିଳା ତାନ୍ତ୍ରିକକୁ ଗିରଫ କରିଛି ପୋଲିସ । ତେବେ ସନ୍ତୋଷର ମଦ ପିଇବାର ଖରାପ ଅଭ୍ୟାସ ଥିଲା । ସେ ପ୍ରାୟ ସମୟ ଶ୍ମଶାନ ଘାଟରେ ବିତାଉଥିଲା ଓ ଖୁବଶୀଘ୍ର ଗୁପ୍ତଧନ ମିଳିବ ବୋଲି ନିଜ ପତ୍ନୀଙ୍କୁ କହୁଥିଲା । ୨୨ ସେପ୍ଟେମ୍ବର ତାରିଖ ବିଳମ୍ବିତ ରାତିରେ ଗୁପ୍ତଧନ ପାଇଁ ଜଣେ ମହିଳା ତାନ୍ତ୍ରିକକୁ ନିଜ ଘରକୁ ଆଣିଥିଲା । ପରଦିନ ସନ୍ତୋଷ ନିଜ ପତ୍ନୀ ସୀମାଙ୍କୁ ଗୁପ୍ତଧନ ଖୋଜିବା ପାଇଁ ମାନବ ବଳୀ ଭାବେ ଉତ୍ସର୍ଗ କରିବାକୁ ଯାଉଥିବା କହିଥିଲା । ଏହା ସହ ସେ ସୀମାଙ୍କୁ ନେଇ କିଛି ରୀତିନୀତି କରିଥିଲା । ଏଥିରେ ସୀମା ବିରୋଧ କରିବାକୁ ସନ୍ତୋଷ ତାଙ୍କୁ ମାଡ଼ ମାରିବାକୁ ପଛାଇନଥିଲା ।

ପରେ ପତ୍ନୀ ସୀମା କିଛି ଗ୍ରାମବାସୀଙ୍କୁ ସନ୍ତୋଷର ଖରାପ ଉଦ୍ଦେଶ୍ୟ ବିଷୟରେ କହିଥିଲେ । ଘଟଣା ଜାଣିବା ପରେ ଗ୍ରାମବାସୀମାନେ ପୋଲିସକୁ ଏହାର ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.