fbpx

ଏଣିକି ପୁରୁଣା ଗାଡ଼ି ଚଲାଇଲେ ଦେବାକୁ ପଡ଼ିବ ୮ ଗୁଣା ରେଜିଷ୍ଟ୍ରେସନ ଫିସ୍, ଜାଣନ୍ତୁ କେବେଠାରୁ ହେବ ଲାଗୁ

ନୂଆଦିଲ୍ଲୀ: ଏଣିକି ପୁରୁଣା ଗାଡ଼ି ଚଲାଇବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଗୁଡ଼ିକର ନବୀକରଣ ପାଇଁ ୮ ଗୁଣା ରେଜିଷ୍ଟ୍ରେସନ ଫିସ୍ ଦେବାକୁ ପଡ଼ିବ । ୨୦୨୨ ଏପ୍ରିଲ ମାସଠାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ତେବେ ଏହି ଗାଡ଼ି ମଧ୍ୟରେ ବସ୍, ଟ୍ରକ, କାର୍ ଆଦି ସାମିଲ ରହିଛି । ଏହି ଗାଡ଼ିଗୁଡ଼ିକର ଫିଟନେସ୍ ପ୍ରମାଣପତ୍ରର ନବୀକରଣ ସମୟରେ ୮ ଗୁଣା ଅଧିକ ଦେୟ ଲାଗୁ ହେବ । ଏନେଇ ଗାଡ଼ି ମାଲିକଙ୍କ ଅବଗତି ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ନିୟମ ଅନୁଯାୟୀ, ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ନିୟମ ଲାଗୁ ହେବ ନାହିଁ । କାରଣ ସେଠାରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି ଚଳାଚଳ ବ୍ୟାନ୍ କରାଯାଇଛି । ୧୫ ବର୍ଷରୁ ଅଧିକ ପୁରୁଣା କାରର ନବୀକରଣ କଲେ ଏବେ ୬୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଆସନ୍ତା ବର୍ଷ ଠାରୁ ୫୦୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ପୁରୁଣା ବାଇକର ପଞ୍ଜୀକରଣକୁ ନବୀକରଣ କଲେ ୩୦୦ ପରିବର୍ତ୍ତେ ୧୦୦୦ ଟଙ୍କା ଗଣିବେ । ବସ୍ ଓ ଟ୍ରକ ପାଇଁ ମଧ୍ୟ ୧୫୦୦ ପରିବର୍ତ୍ତେ ୧୨,୫୦୦ ଗଣିବେ । ଘରୋଇ ଗାଡ଼ିର ପଞ୍ଜୀକରଣ ବିଳମ୍ବ ହେଲେ ମାସକୁ ୩୦ ଟଙ୍କା ଗଣିବାକୁ ପଡ଼ିବ । ଯେ କୌଣସି ବାଣିଜ୍ୟିକ ଗାଡ଼ି ୮ ବର୍ଷ ପୂରଣ ପରେ ପ୍ରତିବର୍ଷ ଫିଟନେସ୍ ପ୍ରମାଣପତ୍ର ନବୀକରଣ କରାଇବା ବାଧ୍ୟତାମୂଳକ । ଫିଟନେସ୍ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ମାନୁଆଲ ବ୍ୟବସ୍ଥାକୁ ହଟାଇବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.