fbpx

ଜେଲ୍‌ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍ ) : ଗତ ମାସ ୮ ତାରିଖରେ ବାଲୁଗାଁ ଏନ୍‌ଏସି ଅଫିସ୍‌ରେ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ମାମଲାରେ ଶୁକ୍ରବାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଖାରଜ ହୋଇଛି । ଏହାପରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜେଲ୍‌ ଯିବାକୁ ପଡ଼ିଛି । ଖୋର୍ଦ୍ଧା ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଠାରେ ତାଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା ଓ ଏହାର ଫଳାଫଳ ନେଗେଟିଭ୍‌ ଆସିଥିଲା । ଏହାପରେ ତାଙ୍କୁ ଖୋର୍ଦ୍ଧା ସବ୍‌ ଜେଲ୍‌କୁ ପଠାଇ ଦିଆଯାଇଛି । ଏହି ଆକ୍ରମଣ ଘଟଣା ପରଠାରୁ ବିଧାୟକ ପ୍ରଶାନ୍ତ ଜଗଦେବ ଫେରାର୍‌ ଥିଲେ । ଏହାପରେ ପ୍ରଶାନ୍ତ ଜଗଦେବଙ୍କ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ ପାଇଁ ଆବେଦନ ଦାଖଲ କରାଯାଇଥିଲା । କିନ୍ତୁ ଚଳିତ ମାସ ୫ ତାରିଖରେ ହାଇକୋର୍ଟ ଏହାକୁ ଖାରଜ କରିଦେବାରୁ ବାଧ୍ୟହୋଇ ପ୍ରଶାନ୍ତ ଜଗଦେବ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏସ୍‌ସି/ଏସ୍‌ଟି କୋର୍ଟରେ ନିଜ ଆଡ଼ୁ ଆତ୍ମସମର୍ପଣ କରିବା ସହ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରକାଶଯୋଗ୍ୟ, ବାଲୁଗାଁ ଏନ୍‌ଏସି ଅଫିସ୍‌ରେ ଆବାସ ଓ ରାସନ୍‌ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଶାନ୍ତ ଜଗଦେବ ବିଜେପି ନେତାଙ୍କୁ ମାଡ ମାରିବା ଦୃଶ୍ୟ ଭାଇରାଲ ହୋଇଥିଲା । ଏହା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବିତ କରିଥିଲେ । ଏହାସହ ତାଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ହଟା ଯାଇଥିଲା । ଆକ୍ରମଣ ଘଟଣାରେ ପ୍ରଶାନ୍ତଙ୍କ ବିରୋଧରେ ବିଜେପି ପକ୍ଷରୁ ଥାନାରେ ଅଭିଯୋଗ ବି ହୋଇଥିଲା । ସେବେଠୁ ବିଧାୟକ ଫେରାର୍‌ ହୋଇଯାଇଥିଲେ । ପୋଲିସ ପ୍ରଶାନ୍ତଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।

Get real time updates directly on you device, subscribe now.