fbpx

ଛତିଶଗଡ଼-ମାଲକାନଗିରି ସୀମାନ୍ତ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଜଣ ନକ୍ସଲ ନିହତ

ମାଲକାନଗିରି, (ଭାସ୍କର ନ୍ୟୁଜ): ଯେତେ ଯାହା କଲେ ମଧ୍ୟ ମାଓବାଦୀଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ନାଁ ଧରୁନାହିଁ । ଯଦିଓ ବହୁ ସମୟରେ ସୁରକ୍ଷା କର୍ମୀ ମାଓକ୍ୟାମ୍ପ ଉପରେ ଚଢ଼ଉକରି ମାଓବାଦୀଙ୍କୁ ହତ୍ୟାକରିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରୁଛନ୍ତି ତଥାପି ସେମାନେ ଲୁଚିଛପି ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଇବାରେ ଲାଗିଛନ୍ତି । ଏପରିକି ସରକାରଙ୍କ ପ୍ରୋତ୍ସାହନ ପାଇ ବହୁ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରୁଥିଲେ ମଧ୍ୟ ମାଓବାଦୀଙ୍କ ଦବ୍‌ଦବାରେ ରୋକ ଲାଗିପାରୁନାହିଁ । ସେମାନେ ବିଶେଷକରି ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରୁଛନ୍ତି । ଛତିଶଗଡ଼-ମାଲକାନଗିରି ସୀମାନ୍ତ ବିଜାପୁର ନିକଟରେ ସୋମବାର ସକାଳେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ଼ର ବିଜାପୁର ଓ ତେଲେଙ୍ଗାନା ମୁଲୁଗୁ ସୀମା ନିକଟରେ ଏହି ଗୁଳି ବିନିମୟ ଘଟିଛି । ଘଟଣାସ୍ଥଳରୁ ସୁରକ୍ଷା କର୍ମୀ ୩ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରିବା ସହ ବହୁରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ମୁଲୁଗୁ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ନେଇ ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଅପରେସନ ପାଇଁ ଯୋଜନା ଆରମ୍ଭ ହୋଇଥିଲା । ତେଲେଙ୍ଗାନା ପୋଲିସର ଗ୍ରେହାଉଣ୍ଡ ଯବାନ ଓ ଛତିଶଗଡ଼ ପୋଲିସର ଡିଆରଡି ବାହିନୀ ମଳିତଭାବେ ଜଙ୍ଗଲ ଭିତରକୁ ଯାଇଥିଲେ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖିବା ପରେ ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ସୁରକ୍ଷା କର୍ମୀଙ୍କ ଘନ ଘନ ଗୁଳିମାଡ଼ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳକୁ ଅଧିକ ସୁରକ୍ଷାକର୍ମୀ ପଠାଯିବା ପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

Get real time updates directly on you device, subscribe now.